Onn 3

ସାଳନ୍ଦୀ ସେତୁ ନିର୍ମାଣକୁ ଆଉ ବର୍ଷେ ପୁରିବ, ସମସ୍ୟାର ସମାଧାନ ପରେବି ସରୁନି ନିର୍ମାଣ କାର୍ଯ୍ୟ

State

ଆଗରପଡ଼ା :ଆଉ ଦିନ କେଇଟା ପରେ ସରିବ ବର୍ଷ ୨୦୨୩ । ତା ସହିତ ସାଳନ୍ଦୀ ସେତୁ ନିର୍ମାଣକୁ ପୁରିବ ଆଉ ଗୋଟେ ବର୍ଷ । ଉକ୍ତ ସେତୁ ନିର୍ମାଣରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ସାରିଥିଲେ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁକୁ ୮ବର୍ଷ ପୁରିବାକୁ ବସିଛି । ଆପ୍ରୋଚ ରୋଡ଼ ଏଥି ପାଇଁ ମୁଖ୍ୟ ସମସ୍ୟା ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ଏପ୍ରିଲ ମାସରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବଂ ଗୋଟିଏ ପାଶ୍ୱର୍ର ନିର୍ମାଣ ସରିବା ପରେ ଅପର ପାଶ୍ୱର୍ (ଆପ୍ରୋଚ ରୋଡ଼) ର ସମସ୍ୟା ଯୋଗୁଁ ଇତି ମଧ୍ୟରେ ୧୯ ମାସ ବିତିଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ସମସ୍ୟାର ସମାଧାନ ହୋଇଥିବା ନେଇ ବିଭାଗୀୟ ଅଧିକାରୀଙ୍କ ସୂଚନାକୁ ଇତି ମଧ୍ୟରେ ଏକ ମାସ ପୁରିଯାଇଥିଲେ ସୁଦ୍ଧା ଆଉ ଏକ ପାଶ୍ୱର୍ ଆପ୍ରୋଚ ରୋଡର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ବିଭାରୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି ।

ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଆସୁଥିଲା । ପରେ ସେତୁର ଗୋଟିଏ ପାଶ୍ୱର୍ ଆପ୍ରୋଚ ରୋଡ ସମସ୍ୟାର ସମାଧାନ ହୋଇ ଗତ ବର୍ଷ ଏପ୍ରିଲ ମାସରୁ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଅନ୍ୟ ଏକ ପାଶ୍ୱର୍ ଆପ୍ରୋଚ ରୋଡ ସମସ୍ୟାର ସମାଧାନ ହୋଇ ସାରିଥିଲେ ସୁଦ୍ଧା ଏହାର ନିର୍ମାଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ ।