Onn 3

କାମରେ ଆସୁନି ଶବ ଦାହ ଗୃହ, ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ପରିସର

State

ଆଗରପଡ଼ା:ସଙ୍କୁଚିତ ସ୍ଥାନ ଓ ସୁସ୍ଥ ପରିବେଶ ପାଇଁ ଜନସଂଖ୍ୟାର ଘନତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ଏକଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଗୋଟିଏ କିମ୍ବା ଦୁଇଟି ଶବ ଦାହ କେନ୍ଦ୍ର ନିର୍ମାଣ କରାଯାଇଛି । ମୃତ ବ୍ୟକ୍ତିର ଶବ ଦାହ ପାଇଁ ମୃତକଙ୍କ ପରିବାରକୁ ହରିଶ୍ଛନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଉଛି । ଉକ୍ତ ଶବ ଦାହ ଗୃହର ପରିବେଶକୁ ସୁନ୍ଦର ପାଇଁ ଫୁଲ ଗଛ ଲଗାଯିବାର ବ୍ୟବସ୍ଥା ହୋଇଛି । ହେଲେ ଦୀର୍ଘ ବର୍ଷ ହେବ ବନ୍ତ ବ୍ଲକର ୨୫ ଗୋଟି ପଂଚାୟତରେ ବିଭିନ୍ନ ସ୍ଥାନରେ ଶବ ଦାହ ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ଏହା କେବଳ ଗୃହରେ ସୀମିତ ରହିଛି । ବହୁ ଅର୍ଥ ବ୍ୟୟରେ ନିର୍ମିତ ହୋଇଥିବା ଶବ ଦାହ ଗୃହକୁ ବିଭିନ୍ନ ଗୁଳ୍ମ ଘେରି ରହିଥିବା ବେଳେ ଏହାର ପରିସର ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ।

ଗୃହ ଗୁଡ଼ିକ ଜନ ସଚେତନତା ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଅଗୋଚରରେ ରହୁଥିବାରୁ ତାହା କେବଳ ଗୃହରେ ସୀମିତ ରହି ନଷ୍ଟ ହେବାକୁ ବସିଛି । ତେଣୁ ଏଠାରେ ଶବ ଦାହ କରିବା ପରିବର୍ତ୍ତେ ବିଭିନ୍ନ ଗ୍ରାମରେ ମୃତ ବ୍ୟକ୍ତିଙ୍କୁ ସେହି ପୁରାତନ ରୀତିନୀତି ରେ ଗ୍ରାମରେ ଥିବା ଗୋଚର ଓ ଶ୍ମଶାନ ପଡ଼ିଆରେ ପୋତା ଯାଇଛି କିମ୍ବା ଅଗ୍ନିରେ ଦାହ କରାଯାଉଛି । ବହୁ ସ୍ଥାନରେ ମଧ୍ୟ ଶ୍ମଶାନ ଅଭାବରୁ ବହୁ ବ୍ୟକ୍ତି ନିଜ ନିଜର ନିଜସ୍ୱ ସ୍ଥାନରେ ଶବ ଦାହ କରୁଛନ୍ତି । ସରକାର ମୃତକଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ଜନସାଧାରଣ ଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଶବଦାହ ଗୃହ ନିର୍ମାଣ କରିଥିବାରୁ ତାହାର ଉପଯୁକ୍ତ ବ୍ୟବହାର ପାଇଁ ବିଭାଗୀୟ ଅଧିକାରୀ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।