Onn 3

ଓଏନଏନ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା ରାସ୍ତା ମରାମତି

State

ଆଗରପଡ଼ା:ଗତ ଜୁଲାଇ ମାସ ୧୮ ତାରିଖ “ବିପଦସଂକୁଳ ବନ୍ତ-ଆଗରପଡ଼ା ରାସ୍ତା ;ଗମନାଗମନରେ ବିପଦ ସାଜିଛି ଗର୍ତ୍ତ”ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଇତି ମଧ୍ୟରେ ଅଡ଼ାଳପଙ୍କ ଠାରୁ ବନ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବନ୍ତରୁ ଆଗରପଡ଼ା ପର୍ଯ୍ୟନ୍ତ ଯାଇଥିବା ୧୪କିମି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ମାନ ହୋଇ ଗମନାଗମନରେ ବିପଦ ସୃଷ୍ଟି କରୁଥିଲା । ଉକ୍ତ ରାସ୍ତାର ଆଡ଼ିଆ ଠାରୁ ବନ୍ତ ପର୍ଯ୍ୟନ୍ତ ୭କିମି ରାସ୍ତା ଦୁଇବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତାରେ ପଡ଼ିଥିବା ହୋମ୍ ପାଇପ୍ ରେ ଗାତ ସହ ରାସ୍ତା ଗୁଡ଼ିକ ଖାଲ ଖମାରେ ପରିଣତ ହୋଇଥିଲା । ବିଶେଷ କରି ରାସ୍ତାରେ ପଡ଼ିଥିବା ପିଚୁ ଉଠିବାକୁ ଲାଗିଥିଲା । ଉକ୍ତ ରାସ୍ତାର ପାନପଦୀ ଛକ ଠାରେ ଜଳନିଷ୍କାସନର ବ୍ୟବସ୍ଥା ନଥିବାରୁ ରାସ୍ତାରେ ପାଣି ଯାଇ ପିଚୁ ରାସ୍ତାରେ ଏକ ଗାତ ସୃଷ୍ଟି ହୋଇଥିଲା । ଉକ୍ତ ରାସ୍ତା ଦେଇ ଅଡ଼ାଳପଙ୍କ ,ଟାଇଗୁଣା, ପାନପଦୀ ,ସଂସ୍କୃତ ମହାବିଦ୍ୟାଳୟ ଆଦି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ସମସ୍ୟାରେ ପଡ଼ୁଥିଲେ । ଏହା ଏହି ଅଂଚଳପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ,ଏହା ଏକ ପକ୍ଷରେ ବନ୍ତ ବ୍ଲକ୍‌ର ସଦର ମହକୁମା ଓ କେନ୍ଦୁଆପଦାର ୫୩ ନଂ ରାଜ୍ୟ ରାଜପଥକୁ କୁ ସଂଯୋଗ କରିଛି । ଏହାର ଅନ୍ୟପକ୍ଷ କେନ୍ଦୁଝର ଜିଲାର ସୋସୋ ,ବାଲେଶ୍ୱର ଜିଲାର କୁପାରୀ ,ଖଇରା ଓ ସୋରକୁ ସଂଯୋଗ କରିଛି ।

ଫଳରେ ଏହି ରାସ୍ତା ତିନି ଜିଲା କୁ ସଂଯୋଗ କରିଥିବାରୁ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ପ୍ରତିଦିନ ଉକ୍ତ ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଗମନ କରନ୍ତି । ଏହିରାସ୍ତା ଦେଇ କୁପାରୀ ଓ ଅଢ଼ାଳପଙ୍କରୁ ଦୁଇଗୋଟି ବସ୍ କଟକ,ଭୁବନେଶ୍ୱର ,ଭଦ୍ରକ ଆଦିକୁ ଦୈନଦିନ ଗମନାଗମନ କରୁଛି । ଉକ୍ତ ରାସ୍ତାରେ ପ୍ରତିଦିଦ ଓଭର ଲୋଡ଼ିଂ ବାଲିଗାଡ଼ି ଯାଇ ରାସ୍ତାର ଅବସ୍ଥାକୁ ଖରାପ କରୁଥିବା ନଜିର ରହିଛି । ଅପରପକ୍ଷରେ ଆଡ଼ିଆଠାରୁ ନୂଆପୋଖରୀ ପର୍ଯ୍ୟନ୍ତ ରାସ୍ତାରେ ଅସଂଖ୍ୟ ଖାଲ ସୃଷ୍ଟି ହୋଇଥିଲା ବେଳେ ସଂପୃକ୍ତ ଠିକାଦାର ଖାଲ ଗୁଡ଼ିକରେ ଖାଲି ମେଣ୍ଟାଲ ପକାଇ ତା ଉପରେ ଡ଼ସ୍ଟ ଗୁଣ୍ଡ ବିଛାଇ ଦେଇଥିବାରୁ ଏହା ଯାତାୟାତରେ ଘୋର ସମସ୍ୟା ସୃଷ୍ଟି କରୁଛି । ତେଣୁ ଉକ୍ତ ରାସ୍ତାର ସ୍ଥାୟୀ ମରାମତି ମଧ୍ୟ ଜରୁରୀ ହୋଇପଡ଼ିଛି । ଏହି ରାସ୍ତାର ଉଭୟ ପାଣ୍ୱର୍ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂସ୍କୃତ ବିଦ୍ୟାଳୟ ,ବ୍ୟାଙ୍କ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ପୋଷ୍ଠ ଅଫିସ ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଭାଗ ଥିବାରୁ ପ୍ରାୟ ସବୁସମୟରେ ଶତାଧିକ ଯାନବାହାନ ଶହ ଶତାଧିକ ଯାତ୍ରୀ ମାନେ ବାଇକ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟତ କରୁଛନ୍ତି । ଉକ୍ତ ରାସ୍ତାର ଗୁରୁତ୍ୱକୁ ଉପଲବ୍ଧ କରି ବନ୍ତରୁ ଆଗରପଡ଼ାକୁ ଲମ୍ବିଥିବା ୧୪ କିମି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ମରାମତି କରିବାକୁ ସର୍ବସାଧାରଣରେ ଦାବି ହେଉଛି ।