Onn 3

ଯୋଜନାକୁ ୨ବର୍ଷ ପୂରିବ, କାମରେ ଲାଗୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର

State

ଆଗରପଡ଼ା: ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ସୂଚନା ଅନୁଯାୟୀ; ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଏକଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତର କାଦବରାଙ୍ଗ ଗ୍ରାମରେ ଏକ ଆବର୍ଜନା ପୃଥକୀ କରଣ କେନ୍ଦ୍ରର ନିର୍ମାଣ କରାଯାଇଥିଲା । କେନ୍ଦ୍ର ନିର୍ମାଣକୁ ଉତି ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହା କାମରେ ଲାଗି ନପାରି କେବଳ ଶୋଭା ବର୍ଦ୍ଧନ କରୁଛି । ସୂନ୍ଦର ରଙ୍ଗ କାମକୁ ତିନି ଗୋଟି ଅଲଗା ଅଲଗା କୋଠରୀ ନିର୍ମାଣ କରାଯାଇଥିବା ବେଳେ ନିର୍ମିତ କେନ୍ଦ୍ରର କାନ୍ଥ ଚାରିପଟେ ଏହାର ଉପଯୋଗିତା ଉପରେ ବ୍ୟଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇଛି । କିନ୍ତୁ ନିର୍ମାଣକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏହା କାମରେ ଲାଗି ପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପର ପକ୍ଷରେ ଉକ୍ତ କେନ୍ଦ୍ରଟି କାଦବରାଙ୍ଗ ବଜାର ଅଂଚଳରେ ନିର୍ମିତ ହୋଇଥିବାରୁ ବଜାର ଅଂଚଳ ସ୍ୱଚ୍ଚ ରହିବାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ବେଳେ କୁଣ୍ଡ ପଡ଼ିଛି ଫାଙ୍କା କିନ୍ତୁ ବାହାରେ ଗଦା ଗଦା ଅଳିଆ ପଡ଼ି ପରିବେଶକୁ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି । କେବଳ କାଦବରାଙ୍ଗ ପଂଚାୟତ ନୁହେଁ ବନ୍ତ ବ୍ଲକର ଅନ୍ୟ ପଂଚାୟତରେ ମଧ୍ୟ ନିର୍ମିତ ଉକ୍ତ ପ୍ରକଳ୍ଫ ବ୍ୟବହାର ଯୋଗ୍ୟ ହୋଇନପାରି ପଡ଼ି ରହିଛି । ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଏହାର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ବାରୀ ହୋଇ ପଡ଼ୁଛି । ତେଣୁ ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ଉକ୍ତ ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।