Onn 3

ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି, ସ୍କୁଲରେ ନା ଗଡ଼ୁଛି କିନ୍ତୁ ଅବସରନେଲେଣି ଶିକ୍ଷକ

State

ଆଗରପଡ଼ା: ଶିକ୍ଷାଲାଭ କରିଥିବା ସ୍କୁଲରେ ଟିସି ନେଇଥିବାର କୌଣସି ସୂଚନା ନଥିବା ବେଳେ ଜନୈକ ବ୍ୟକ୍ତି ଶିକ୍ଷକତା କରି ଅବସର ନେଇଥିବା ଜଣାପଡ଼ିଛି । ଏହିପରି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଘଟିଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ;ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତ ଗତ ଜୁନ ମାସରେ ସୂଚନା ଅଧିକାର ଆଇନ ବଳରେ ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅନ୍ତର୍ଗତ ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ସରକାରୀ ହାଇସ୍କୁଲକୁ ଉକ୍ତ ହାଇସ୍ଖୁଲରେ ଅଧ୍ୟୟନ କରିଥିବା ଜନୈକ ଛାତ୍ରଙ୍କ ସବିଶେଷ ବିବରଣୀ ମାଗିଥିଲେ । ପରେ ଜୁଲାଇ ମାସରେ ହାଇସ୍ଖୁଲ ତରଫରୁ ଉକ୍ତ ଛାତ୍ରଙ୍କ ବିବରଣୀ ପ୍ରଦାନ କରାଯାଇଥିଲା । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୂଚନା ଅଧିକାରୀ ଉକ୍ତ ଛାତ୍ର ତାଙ୍କ ସ୍କୁଲରେ ବର୍ଷ ୧୯୭୬ ଜୁନ ମାସ ୨୫ ତାରିଖରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବାର ସୂଚନା ପ୍ରଦାନ କରିଥିଲେ କିନ୍ତୁ ଉକ୍ତ ଛାତ୍ର ତାଙ୍କ ବିଦ୍ୟାଳୟରୁ କେବେ ଟିସି ନେଲେ ତାର କୌଣସି ସଠିକ ପ୍ରମାଣ ଆଡ଼ମିସନ ରେଜିଷ୍ଟରରେ ନଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ବେଳେ ଉକ୍ତ ଛାତ୍ର ପରବର୍ତ୍ତୀ ସମୟରେ ଅନ୍ୟ ଏକ ବିଦ୍ୟାଳୟ (ତରାଗ ହାଇସ୍ଖୁଲ)ରୁ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚ ଶିକ୍ଷାଲାଭ କରି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଶିକ୍ଷକତା କରି ଗତ ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେଇଥିବା ସୂଚନା ଜନ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

ସୂଚନାକୁ ଅନୁସନ୍ଧାନ କଲେ ଏଠାରେ ପ୍ରଶ୍ନ ଉଠେଯେ ଗୋଟିଏ ବିଦ୍ୟାଳୟରୁ ଟିସି ନେଇଥିବାର କୌଣସି ପ୍ରମାଣ ନଥିବା ବେଳେ ଶିକ୍ଷକ ଜଣକ କେଉଁ ପ୍ରମାଣପତ୍ର ଆଧାରରେ ଓ କେଉଁ ପରିସ୍ଥିତିରେ ଅନ୍ୟ ଏକ ବିଦ୍ୟାଳୟରେ ନାମ ଲେଖାଇଲେ ଓ ପରବର୍ତ୍ତି ସମୟରେ ଉଚ୍ଚ ଶିକ୍ଷା ଲାଭ କରି ଶିକ୍ଷକତା କଲେ । ତେଣୁ ବିଭିନ୍ନ ବିଦ୍ୟାଳୟରେ ତାଙ୍କ ନାମ େଉଖା ପ୍ରକ୍ରିୟାକୁ ବିଭାଗୀୟ ଅଧିକାରୀ ଯାଂଚ କରିବା ସହ ଏହାର ପୁଂଖାନୁପୁଂଖ ତଦନ୍ତ କଲେ ଉକ୍ତ ଶିକ୍ଷକଙ୍କ ଚଂଚକତା ପଦାକୁ ଆସିବବୋଲି ସୂଚନା ଅଧିକାର କର୍ମୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଦାବି କରିବା ସହ ଏଥିନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।