Onn 3

ଦୁର୍ଦ୍ଦିନରେ ଗ୍ରାମୀଣ ଡ଼ାକ ସେବକ

State

ଆଗରପଡ଼ା:ଭିତ୍ତିଭୂମି ଅଭାବରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥାଭାଜନ ହ୍ରାସ ପାଇବାରେ ଲାଗିଛି । ସମଗ୍ର ବନ୍ତ ବ୍ଲକରେ ବନ୍ତ, ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାରେ ଚାଲିଛି ଏବଂ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବା ବେଳେ ବସନ୍ତିଆରେ ଆଜି ପର୍ଯ୍ୟନ୍ତ ସେ ସୁବିଧା ଉପଲବ୍ଧ ହୋଇପାରି ନାହିଁ । ବସନ୍ତିଆ ଉପଡ଼ାକଘର ଅଧିନରେ ଦୁଇଟି ଶାଖା ଡ଼ାକଘର, ବନ୍ତ ଉପଡ଼ାକଘର ଅଧିନରେ ୧୪ଟି ଶାଖା ଡ଼ାକଘର, ଆଗରପଡ଼ା ଉପଡ଼ାକଘର ଅଧିନରେ ୮ଟି ଶାଖା ଡ଼ାକଘର ରହିଛି ।

ପୋଷ୍ଟାଲ ପଲିସି ଅନୁଯାୟୀ ଶାଖା ଡ଼ାକଘର ଗୁଡ଼ିକ ଡ଼ାକ ସେବକଙ୍କ ନିଜସ୍ୱ ଗୃହରେ ଚାଲିଛି । କିମ୍ବା ଭଡ଼ାଘରେ ଅତି ଦୟନୀୟ ଅବସ୍ଥାରେ ରହିଛି । ଶାଖା ଡ଼ାକଘର ଗୁଡ଼ିକ ଡ଼ାକସେବକଙ୍କ ଦ୍ୱାରା ଚାଲିଛି । ଡ଼ାକ ସେବକମାନେ ସଂପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କ ପରି କାର୍ଯ୍ୟ କରୁଥିଲେ ସୁଦ୍ଧା ପରିଶ୍ରମ ମୁତାବକ ଦରମା ମିଳୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି । ତତ୍‌ସହିତ ଚାକିରୀରୁ ଅବସର ନେବା ପରେ ବିଭାଗ ତରଫରୁ ମିଳୁଥିବା ସୁବିଧାରୁ ମଧ୍ୟ ଏମାନେ ବଂଚିତ ହେଉଛନ୍ତି । ଯଦ୍ୱାରା ଏମାନେ ନାନା ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଛନ୍ତି । ଯଦି ଡ଼ାକଘର ଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଡ଼ାକ ସେବକମାନଙ୍କର ବିଭାଗୀୟ କର୍ମଚାରୀମାନଙ୍କ ପରି ସୁବିଧା ସୁଯୋଗ ଉପଲବ୍ଧ କରାଯାଇପାରନ୍ତା ତେବେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତାମତ ଦେଉଛନ୍ତି ।