Onn 3

ପ୍ରତିଷ୍ଠାକୁ ୩୭ବର୍ଷ ପୂରିଲା, ଅବହେଳିତ ଉପନିବନ୍ଧକ କାର୍ଯ୍ୟାଳୟ

State

ଆଗରପଡ଼ା:ପ୍ରତିଷ୍ଠାକୁ ୩୭ ବର୍ଷ ପୂରିବା ପରେ ମଧ୍ୟ ନିଜ ରୂପରେଖରେ ପରିବର୍ତ୍ତନ ଆଣି ନପାରି ସଂକୁଚିତ କଳେବରରେ ସେବା ଯୋଗାଇବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ । ଜମିଜମାର କ୍ରୟବିକ୍ରୟ,ମାଲିକାନା ସତ୍ୱ ,ଦାନପତ୍ର,ଦସ୍ତାବିଜ ,କ୍ଷମତାପତ୍ର ,ବିବାହ ପରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଂପାଦନ ପାଇଁ ସରକାର ପ୍ରତି ତହସିଲ ଅଧିନରେ ଉପନିବନ୍ଧକ କାର୍ଯ୍ୟାଳୟମାନ ନିର୍ମାଣ କରିଛନ୍ତିି । ତେବେ ବନ୍ତରେ ଥିବା ଉପନିବନ୍ଧକ କାଯ୍ୟାଳୟଟି ବହୁ ସଙ୍କୁଚିତ କଳେବରରେ ରହିଥିବା ବେଳେ ଏହାର କବାଟ ଝରକା ନଷ୍ଟ ହୋଇ ଏବେ କାନ୍ଥ ଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ଛାତରୁ ପ୍ଲାଷ୍ଟର ଖସୁଛି । ଫଳରେ କର୍ମଚାରୀଙ୍କ ଠାରୁ ଉକ୍ତ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି । । ୧୯୮୫ମସିହାରେ ଏହି ବିଭାଗ ବନ୍ତରେ ପ୍ରତିଷ୍ଠା ହୋଇଥିଲା ।

ସେ ସମୟରେ ଉକ୍ତ ବିଭାଗ ଅଧିନରେ ସ୍ୱଳ୍ପ ଜନସଂଖ୍ୟା ସାଙ୍ଗକୁ କାର୍ଯ୍ୟ ମଧ୍ୟ କମ ରହିଥିବାରୁ । ଏହାକୁ ଲକ୍ଷ୍ୟକରି ଉକ୍ତ କାର୍ଯ୍ୟାଳୟରେ ୨ଟି କୋଠରୀ ରେ ସବୁ ପ୍ରକାର କାର୍ଯ୍ୟ ସଂପାଦିତ ହେଉଥିଲା । ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ ୩୮ ବର୍ଷରେ ପଦାର୍ପଣ କରିଛି । ଏବେ ଏହାର ଅଧିନରେ ୧୫୦ ରୁ ଅଧିକ ରୋଭିନ୍ୟୁ ଗ୍ରାମର ଦେଢ଼ ଲକ୍ଷ ଜନସଂଖ୍ୟା ନିର୍ଭର କରୁଛନ୍ତି । ହେଲେ ସେହି ସର୍ବପୁରାତନ ଓ ସଂଙ୍କୁଚିତ ଗୃହର ରୁପରେଖରେ ସାମାନ୍ୟ ପରିବର୍ତ୍ତନ ଘଟିନି । ଏହି କାର୍ଯ୍ୟାଳୟ ପାଖରେ ଏକ କୋଠରୀ ନିର୍ମାଣ ହୋଇଥିଲେ ମଧ୍ୟ ଆଉ ଏକ କୋଠରୀର ଆବଶ୍ୟକତା ରହିଛି । ଏଠାରେ ଥିବା ଦୁଇଟି କୋଠରୀରେ ରେକଡ଼଼ପତ୍ରର ରକ୍ଷଣାବେକ୍ଷଣ,କମ୍ପ୍ୟୁଟର ସହ ରେଜିଷ୍ଟ୍ରେସନ କାର୍ଯ୍ୟରେ ନାନା ସମସ୍ୟା ଦେଖାଯାଉଛି । ଘରର କାନ୍ଥ , ଝରକା ଓ କବାଟ ଆଦି ନଷ୍ଟ ହେବାକୁ ବସିଥିବା ବେଳେ ଏହାର କାନ୍ଥ ସହ ଛାତରେ ଫାଟ ସୃଷ୍ଟି ହୋଇଛି । ବର୍ଷା ଦିନରେ ଛାତରୁ ବର୍ଷା ପାଣି ଗଳିବା ସହ ଫାଟସହ ଛାତରୁ ପଲସ୍ତରା ଖସୁଥିଲେ ମଧ୍ୟ ଅଧିକାରୀ ଓ କର୍ମଚାରୀ ନିରୂପାୟ ହୋଇ ସେଠାରେ କାର୍ଯ୍ୟ କରୁଛନ୍ତି । ତେଣୁ ଉକ୍ତ କାର୍ଯ୍ୟାଳୟର ମରାମତି ସହ କଳେବର ବୃଦ୍ଧି ପାଇଁ ସର୍ବସାଧାରଣରେ ଦାବି ହେଉଛି ।