Photo3 For The News Of Display Board

ପ୍ରହସନରେ ପରିଣତ ସୂଚନା ଫଳକ ନିର୍ମାଣ, ଗୋଟିଏ ଫଳକରେ ବିଭିନ୍ନ ଯୋଜନାର ସୂଚନା

State

ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ଯଦ୍ୱାରା ସୂଚନା ଫଳକ ନିର୍ମାଣ ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି । କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦି ଗ୍ରାମରେ ବର୍ତ୍ତମାନ ପଂଚାୟତ ସମିତି ବନ୍ତ ପକ୍ଷରୁ ଲକ୍ଷ୍ମୀ ମଣ୍ଡପ ଠାରୁ ସରମରା ପ୍ରଧାନମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଥିବାର ସୂଚନା ସ୍ଥାପିତ ଫଳକରେ ସ୍ଥାଣିତ ହୋଇଥିଲେ ସୁଦ୍ଧା ଏଠାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ;କିଛି ଦିନ ପୂର୍ବରୁ ଉକ୍ତ ଫଳକରେ ସେହି ଗ୍ରାମରେ ଅନ୍ୟ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପର ସୂଚନା ଲିପିବଦ୍ଧ ହୋଇଥିଲା । କିନ୍ତୁ ବର୍ତ୍ତମାନ ଆଉ ଏକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ନୂତନ ଫଳକ ନିର୍ମାଣ ନ କରି ପୂର୍ବ ଫଳକ ଉପରେ ରଙ୍ଗ ମାରି ତା ଉପରେ ନୂତନ ଯୋଜନା ବିଷୟରେ ଲେଖିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଫଳକ ବାବଦରେ ବିଲ ହେଉଥିବା ବେଳେ ନୂତନ ଫଳକ ନ କରି ପୁରୁଣା ଫଳକରେ ସୂଚନା ଲେଖିବା ବିଭାଗୀୟ ସ୍ୱଚ୍ଚତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ଉକ୍ତ ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ତୁମ୍ଭାପଦୀ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ହୋଇଥିବାର ସୂଚନା ନିର୍ମିତ ସୂଚନା ଫଳକରେ ଥିଲେ ସୁଦ୍ଧା କାର୍ଯ୍ୟ ସମାପ୍ତର ବହୁଦିନ ପରେ ମଧ୍ୟ ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟ ଶେଷର କୌଣସି ସୂଚନା ଲେଖା ଯାଇନଥିବା ଜଣାପଡ଼ିଛି । ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ତୋଟାସାହି ଠାରେ ଥିବା ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ଉନ୍ନତି କରଣ ସ୍ଥିତିତ୍ୱ ହରାଇଥିବା ଫଳକରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଥିଲା । ସରକାରୀ ସ୍ତରୀୟ କୌଣସି ଉନ୍ନତି ମୂଳକ କାର୍ଯ୍ୟାରମ୍ଭ ହେଲେ କାର୍ଯ୍ୟସ୍ଥଳୀ ନିକଟରେ ଫଳକ ନିର୍ମିତ ହେବା ସହ ସୂଚନା ଲିପିବଦ୍ଧ ହେବା ବାଧ୍ୟତା ମୂଳକ ହୋଇଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସ୍ଥାପିତ ହୋଇଥିବା ସୂଚନା ଫଳକଟି ତଳେ ଗଳିପଡ଼ିଥିବା ବେଳେ ଉକ୍ତ ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷର କୌଣସି ସୂଚନା ନଥିଲା ।

ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗଳି ପଡ଼ିଥିବା ଫଳକକୁ ମରାମତି କରି ନୂତନ ଭାବେ ପୁଣିଥରେ ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ଫେବୃଆରୀ ମାସ ୨୨ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ିଛି । ଏବଂ ବର୍ତ୍ତମାନ ଉକ୍ତ ଖେଳ ପଡ଼ିଆ କେବଳ ଅନାବନା ଗଛ ଓ ଗୁଳ୍ମ ଘେରରେ ନିଜର ଉନ୍ନତିକରଣର ସୂଚନା ଦେଉଛି । ସେହିପରି ତୋଟାସାହି ଠରେ ତୋଟାସାହି ପଂଚାୟତ ପୋଖରୀର ପୁନଃଉଦ୍ଧାର ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ମାର୍ଚ୍ଚ ମାସ ୦୩ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ିଛି । ଏବଂ ଉକ୍ତ ଫଳକ ବର୍ତ୍ତମାନ ଗୁଳ୍ମ ଘେରରେ ରହି ଯାଇଛି । ସେହିପରି କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ସୂଚନା ଗୋଟିଏ ଫଳକରେ ଲେଖାଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ଉକ୍ତ ପଂଚାୟତ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତରେ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଫଳକ ଅଛି କିନ୍ତୁ ଉକ୍ତ ଫଳକରେ ସୂଚନା ଲେଖାଯାଇନଥିବା ଦେଖିବାକୁ ମିଳିଛି । ଖାଲି ଓଡ଼ଙ୍ଗ,କାଦବରାଙ୍ଗ କିମ୍ବା ବଡ଼ବର୍ଚ୍ଚିକୟାଁ ପଂଚାୟତ ନୁହେଁ ବ୍ଲକର ଅନ୍ୟ ପଂଚାୟତରେ ମଧ୍ୟ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛିଯେ କାର୍ଯ୍ୟ ଆରମ୍ଭ ହୋଇ କଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହୁଛି ନା ବିନା କାର୍ଯ୍ୟରେ କେବଳ ଆରମ୍ଭର ସୂଚନା ଦିଆଯାଇ ସରକାରୀ ଅର୍ଥ ହଡ଼ପ ହେଉଛି । ସେହିପରି ଗୋଟିଏ ଫଳକରେ ବିଭିନ୍ନ ଯୋଜନାର ସୂଚନାକୁ ବାରମ୍ଭାର ଲେଖି ତା ବାବଦରେ ସରକାରୀ ଅର୍ଥ ମଧ୍ୟ ହଡ଼ପ ହେଉଛି । ତେଣୁ ସୂଚନା ଫଳକକୁ ପ୍ରହସନରେ ପରିଣତ ନ କରି ସେଥିରେ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ସର୍ବସାଧାରଣଙ୍କ ନିମନ୍ତେ ସବିଶେଷ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟାରମ୍ଭ ସହ କାର୍ଯ୍ୟ ସରିବାର ସୂଚନା ମଧ୍ୟ ଲିପିବଦ୍ଧ କରିବା ସହ ବିଭିନ୍ନ କାର୍ଯ୍ୟପାଇଁ ଭିନ୍ନଭିନ୍ନ ଫଳକ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Photo4 For The News Of Display Board Photo2 For The News Of Display Board Photo1 For The News Of Display Board