ଆଗରପଡ଼ା: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ଏହାର ସଦ୍ଉପଯୋଗ ଉପରେ ବିଭାଗୀୟ ଅଧିକାରୀ କୈାଣସି ନଜର ଦେଉନଥିବାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅବସ୍ଥା ସଂକଟ ଆଡ଼କୁ ଗତି କରିବାରେ ଲାଗିଛି ଏବଂ ଏହାର ସୁଯୋଗରେ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବାରେ ଲାଗିଛି । ଦିନକୁଦିନ ଅଭିଭାବକମାନେ ସରକାରୀ ପ୍ରାଥମିକ ସ୍କୁଲରେ ପିଲାମାନଙ୍କୁ ପଢାଇବା ବଦଳରେ ଘରୋଇ ସ୍କୁଲରେ ପାଠ ପଢାଇବା ପାଇଁ ପସନ୍ଦ କରୁଛନ୍ତି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଏଭଳି ଅବସ୍ଥା । ସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ମାନେ ନାମ ନ ଲେଖାଉଥିବା ବେଳେ ଘରୋଇ ସ୍କୁଲରେ ନାହିଁ ନଥିବା ଭିଡ଼ । ଏଭଳି ଅବସ୍ଥାରେ ସରକାର ଅନେକ ପ୍ରାଥମିକ ବିଦ୍ୟାଳୟ ବାଧ୍ୟ ହୋଇ ବନ୍ଦ କଲେଣି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ମଧ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅନୁରୂପ । ଏହି ବ୍ଲକରେ କିଛି ବିଦ୍ୟାଳୟରେ ଛାତ୍ର ସଂଖ୍ୟା ଓ ତା ପାରିପାଶ୍ୱର୍କ ଅବସ୍ଥାରେ କୈାଣସି ଉନ୍ନତି ହୋଇପାରୁ ନଥିବାରୁ ଏହା ବନ୍ଦ ହେବା ସହ ପାଖ ସ୍କୁଲ ସହିତ ମିଶିଛି । ୬ ରୁ ୧୪ ବର୍ଷର ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ହୋଇଥିବା ବେଳେ ସୁସଜ୍ଜିତ ପକ୍କା ଘର ସାଙ୍ଗକୁ ମାଗଣା ପୋଷାକ, ବହିପତ୍ର ଓ ମଧ୍ୟାହ୍ନ ଭୋଜନ ସହିତ ଆହୁରି କେତେ ସୁବିଧା ସୁଯୋଗ ସରକାରୀ ବିଦ୍ୟାଳୟରେ ଉପଲବ୍ଧ କିନ୍ତୁ କ’ଣ ପାଇଁ ଅଭିଭାବକମାନେ ସରକାରୀ ପ୍ରାଥମିକ ଶିକ୍ଷା ପ୍ରତି ବିମୁଖ ତାର ମୂଳ କାରଣ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମାନେ ଖୋଜୁନଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଦିନ ମଜୁରୀଆ ଠାରୁ ଆରମ୍ଭ କରି ରିକ୍ସାବାଲା ପର୍ଯ୍ୟନ୍ତ କେହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଉଚ୍ଛା ପ୍ରକାଶ କରୁନାହାଁନ୍ତି । ସମସ୍ତଙ୍କ ଦୃଢ ବିଶ୍ୱାସ ସରକାରୀ ବିଦ୍ୟାଳୟ ଗୁଡ଼ିକ ଆଗଭଳି ଆଉ ନାହିଁ । ସେଇଥି ପାଇଁ ଗାଁ ଗାଁରେ ଛତୁ ଫୁଟିଲା ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେସରକାରୀ ବିଦ୍ୟାଳୟମାନ ଖୋଲିଲାଣି । ବନ୍ତ ବ୍ଲକରେ ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁମନ୍ଦିରର ସଂଖ୍ୟା ମଧ୍ୟ ବଢିଚାଲିଛି ।
ପବ୍ଲିକ ସ୍କୁଲ ଖୋଲିବା ପାଇଁ ସେଭଳି କିଛି ଦୃଢ ଆଇନ କାନୁନର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ଘରୋଇ ସ୍କୁଲ ଖୋଲିବାରେ ଲାଗିଛି । ଅନ୍ୟପଟେ ସରକାର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେଣି । ଏହାର ପ୍ରଥମ କାରଣ ହୋଇପାରେ ବିଦ୍ୟାଳୟରେ ଶ୍ରେଣୀ ଓ ବିଷୟ ଭିତ୍ତିକ ଶିକ୍ଷକ ନଥିବା । ଶିକ୍ଷକମାନଙ୍କ ଭିତରେ ଭେଦ ସୃଷ୍ଟି କରିବା ପାଇଁ ଗୋଟିଏ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ସେମାନଙ୍କର ବେତନ ମଧ୍ୟ ପୃଥକ ପୃଥକ । ଛାତ୍ରଛାତ୍ରୀଙ୍କ ହାରରେ ଶିକ୍ଷକ ନିଯୁକ୍ତି ପାଇଥିବାରୁ ଜଣେ ଜଣେ ଶିକ୍ଷକ ଦୁଇଟି ତିନୋଟି ଶ୍ରେଣୀକୁ ଏକାଠି କରି ପାଠ ପଢାଉଥିବା ଦେଖିବାକୁ ମିଳୁଛି । ଏବଂ ଭୈାଗଳିକ ଦୃଷ୍ଟି କୋଣରୁ ଯେଉଁ ଜାଗାରେ ବିଦ୍ୟାଳୟ କରାଯିବାର କୈାଣସି ଯଥାର୍ଥ ନଥିବା ସ୍ଥଳେ ସେସବୁ ଜାଗାରେ ବିଦ୍ୟାଳୟ ଖୋଲି ଲକ୍ଷ୍ୟାଧିକ ଟଙ୍କା ନଷ୍ଟ କରିବା କେତେ ଦୁର ଯୁକ୍ତି ଯୁକ୍ତ ତାହା କିଛି ବିଦ୍ୟାଳୟକୁ ଦେଖିଲେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସାର ହେଉଛି । ଅନ୍ୟପକ୍ଷରେ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ଅଣଶୈକ୍ଷିକ କାର୍ଯ୍ୟକ୍ରମ ଯଥା ସର୍ଭେ କାର୍ଯ୍ୟ, ବିପିଏଲ ଭୋଟର ଲିଷ୍ଟ ପ୍ରସ୍ତୁତ, ମଧ୍ୟାହ୍ନ ଭୋଜନ ନିର୍ମାଣ କାର୍ଯ୍ୟ ଓ ବିଭିନ୍ନ ସମୟରେ ଅନାବଶ୍ୟକ ତାଲିମ କାର୍ଯ୍ୟରେ ଯୋଗଦେବାକୁ ବାଧ୍ୟ କରାଯାଉଥିବାରୁ ଶିକ୍ଷାଦାନରେ ଘୋର ବ୍ୟତିକ୍ରମ ସୃଷ୍ଠି ହେବାରେ ଦେଖାଦେଇଛି । ତେଣୁ ଅଭିଭାବକମାନେ ନିଜର ପିଲାମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ସେମାନଙ୍କର ପିଲାମାନଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବାକୁ ଉଚ୍ଛା ପ୍ରକାଶ କରୁନାହାଁନ୍ତି । ପିଲାମାନଙ୍କର ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଅନେକ ସମୟରେ ନିଜର ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ ପାଇଁ ବ୍ୟସ୍ତ ରହୁଛନ୍ତି । ଏପରି ପରିସ୍ଥିତିରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ଯାହାଫଳରେ ଶିକ୍ଷକ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସେମାନଙ୍କର ପିଲାମାନଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢାଇବାକୁ ବିମୁଖ । ଏହିଭଳି ଅବସ୍ଥାରେ ସରକାରୀ ପ୍ରାଥମିକ ଶିକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା କାରଣ ଗୁଡ଼ିକୁ ଠିକ୍ ଭାବେ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ନିତି ନିୟମ ପ୍ରଣୟନ ନକଲେ ଆଗାମୀ ଦିନରେ ସରକାରୀ ପ୍ରାଥମିକ ଶିକ୍ଷା ରସାତଳକୁ ଚାଲିଯିବ ବୋଲି ଶିକ୍ଷାବିତମାନେ ମତ ପୋଷଣ କରିଛନ୍ତି ।