Onn 3

“ପ୍ରତିଶ୍ରୁତି”ର ନବ ପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ

State

ବାରିପଦା: ସାହିତ୍ୟ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରସାୟନ ବିଜ୍ଞାନ ପ୍ରଶାସନିକ ମୁଖ୍ୟ ଡ.ସୁଦର୍ଶନ ସିଂହଙ୍କ ସଭାପତିତ୍ୱରେ ଏକ ନବ ପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟିକ ତଥା “ପ୍ରତିଶ୍ରୁତି” ର ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ – ସାଧାରଣ ମଣିଷ ଯାହା ଅନୁଭବ କରିପାରେ ନାହିଁ- ଯାହା ଦେଖିପାରେ ନାହିଁ କବି ତାହାକୁ ଅନୁଭବ କରେ – କମନୀୟ କଳା ରୂପଦେଇ ତାକୁ ଜୀବନ୍ୟାସ ଦିଏ । ସେହି ବାଙ୍‌ମୟ ଅଭିବ୍ୟକ୍ତି ହୁଏ କବୀତା । ଅଗଣିତ ହୃଦୟରେ ତାହା ସୃଷ୍ଟି କରେ ଭାବାନ୍ତର । ସେହି ପ୍ରତିଭା ଅନେକଙ୍କ ହୃଦୟରେ ସୁପ୍ତ ଭାବରେ ରହିଛି ତାହା ଉପଯୁକ୍ତ ପରିବେଶ ପାଇଲେ ପ୍ରକାଶିତ ହୁଏ । ଓଡିଆ କାବ୍ୟ ଜଗତରେ ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଦୀନକୃଷ୍ଣଙ୍କ ପର୍ଯ୍ୟନ୍ତ ଅନେକେ ତାଙ୍କ କାଳଜୟୀ ସୃଷ୍ଟି ମାଧ୍ୟମରେ ସାହିତ୍ୟ ଇତିହାସର ପୃଷ୍ଠା ମଣ୍ଡନ କର‌୍ୟିଥିବାର ଅନେକ ଉଦାହରଣ ଦେଇ ଆଜିର ଯୁବ ପିଢି ତାହାକୁ ପାଠ କରି ନୀଜର ପ୍ରତିଭାକୁ ବିକଶିତ କରିବାକୁ ପ୍ରୟାସ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପୁରଷ୍କାର ବିତରଣୀ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭଙ୍କର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆଜିର ଛାତ୍ର ଛାତ୍ରୀମାନେ ଭାଷା ସାହିତ୍ୟକୁ ଜାଣିବା ପାଇଁ ପ୍ରୟାସ ଜାରି ରଖିଲେ ଭବିଷ୍ୟତରେ ସେମାନେ ମଧ୍ୟ ଓଡିଆ ସାହିତ୍ୟରେ ଜଣେ ଜଣେ ବିଶିଷ୍ଟ ପ୍ରତିଭା ଭାବେ ପରିଚିତ ହୋଇ ପାରିବେ ବୋଲି ଉଲ୍ଲେଖ କରିଥିଲେ ।

ଏହି ପ୍ରତିଭା ଚୟନ ପ୍ରତିଯୋଗୀତାରେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଦେବଜାନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ +୨ କଳାର ଛାତ୍ର ସାଗେନ ହେମ୍ବ୍ରମ୍ ଦ୍ୱିତୀୟ ଓ +୨ ପ୍ରଥମ ବର୍ଷର ଛାତ୍ରୀ ପ୍ରିୟଦର୍ଶିନୀ ପାତ୍ର ତୃତୀୟ ସ୍ଥାନ ତଥା +୨ କଳା ଦ୍ୱିତୀୟ ବର୍ଷର ଛାତ୍ରୀ ସୁନନ୍ଦା ଗିରି ଓ +୨ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ଲଳିତ କୁମାର ନାଏକ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଥିଲେ । କୃତୀ ପ୍ରତିଯୋଗିମାନଙ୍କୁ “ପ୍ରତିଶ୍ରୁତି” ତରଫରୁ ପ୍ରତିଭା ପ୍ରମାଣ ପତ୍ର ଓ ଟ୍ରୋଫି ଦେଇ ମୁଖ୍ୟ ଅତିଥି ଶ୍ରୀ ସାହୁ ପୁରସ୍କୃତ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡିଆ ବିଭାଗର ମୁଖ୍ୟ ମଥୁରା ନାଏକଙ୍କ ସମେତ ଓଡିଆ ବିଭାଗର ଅଧ୍ୟାପିକା ସୁସ୍ମିତା ଦଳେଇ ଓ ଅଧ୍ୟାପକ ସାଉନା କିସ୍କୁ ବିଚାରକ ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷା ପ୍ରତି ଆଗ୍ରହ ବଢାଇବାକୁ କହିଥିଲେ । ପରିଶେଷରେ “ପ୍ରତିଶ୍ରୁତି” ତରଫରୁ ସମ୍ପାଦକ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।