Photo For The News Of Bali Maphia

ବାଲି ମାଫିଆଙ୍କ ଦୌରାତ୍ମ୍ୟର ଅନ୍ତ କେବେ? ସାଳନ୍ଦୀ ନଦୀ ଗର୍ଭରେ ଲୀନ ହୋଇଯିବ ନଦୀପଠାରେ ଥିବା ଗାଁ !!!

State

ଆଗରପଡ଼ା :ବାରମ୍ବାର ଖବର ପ୍ରକାଶ ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି । କିଛି ଦିନ ତଳେ ମାଫିଆ ମାନେ ବେଫିକର ହୋଇ ଦିନ ଦ୍ୱୀପ୍ରହରରେ ବେସରକାରୀଭାବେ ନଦୀ କୂଳରେ ମେସିନ ଲଗାଇ ବାଲି ଖନନ କରି ଟ୍ରାକ୍ଟର ବାଟେ ବୋହିନେଇଥିବାର ଦେଖିବାକୁ ମିଳୁଥିଲା । ଏହାର ପ୍ରତିବାଦ କଲେ ଧମକ ମଧ୍ୟ ମିଳୁଥିବାର ଅଭିଯୋଗ ମଧ୍ୟ ହେଉଥିଲା । ଦିନ ଦ୍ୱିପ୍ରହରେ ତ ଲୁଟୁଥିଲେ ଲୁଟୁଥିଲେ ବର୍ତ୍ତମାନ ମାଫିଆମାନେ ରାତିରେ ମଧ୍ୟ ଲୁଟୁଥିବାର ଜଣାପଡ଼ିଛି । ଅଧିକାରୀଙ୍କ ନଜରକୁ ଏହା ଆଣିବାକୁ ଚେଷ୍ଟା କଲେ ସେ ବିଭିନ୍ନ ଆଳ ଦେଖାଇ ପରୋକ୍ଷରେ ମାଫିଆକୁ ସହଯୋଗ କରୁଥିବାର ଜଣାପଡ଼ୁଛି । ତେଣୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ କିଛି ନଦୀପଠାରେ ଥିବା ଗାଁ ସାଳନ୍ଦୀ ନଦୀ ଗର୍ଭରେ ଲିନ ହେବା ସୁନିଶ୍ଚିତ ବୋଲି ପରିବେଶବିତ୍ତମାନେ ମତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକ୍‌ି;ପ୍ରାକୃତିକ ବିପର୍ଯ୍ୟୟରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବନ୍ତ ବ୍ଲକ ଆଗରପଡ଼ା ଠାରେ । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏହାର ମୁଖ୍ୟ କାରଣ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ ।

ଆଗରପଡା ଥାନା ଅଧିନ ଗୋପିନାଥପୁର,ମହାନ୍ତିପଡ଼ା,ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ଗତ ବର୍ଷ ୨୦୦୦ରେ ନିଲାମ କରାଯାଇଥିଲା । ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ଏଥିରେ ବେନିୟମ ହେଉଥିବା ଅଭିଯୋଗ ନେଇ କିଛି ଦିନ ତଳେ କିଛି ପଂଚାୟତର ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନଥିଲେ । ଆଜି ପର୍ଯ୍ୟନ୍ତ ସରକାରଙ୍କ ପ୍ରଦତ୍ତନିୟମକୁ କେହିବି ମାନୁ ନାହାନ୍ତି । ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ତତ୍ତ ସହିତ ଜରିମାନାରୁ ବଂଚିବା ପାଇଁ ବର୍ତ୍ତମାନ ରାତିରେ ମଧ୍ୟ ବାଲି ଖୋଳାଯାଇ ଅନ୍ୟ ସ୍ଥାନକୁ ପଠାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଘାଟ ନିଲାମ କେବଳ ପ୍ରହସନ ପାଲଟିଛି । ପ୍ରତିଦନ ଏହି ପରି ବେଧଡକ ବାଲିଖୋଳାଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ସାଳନ୍ଦୀ ନଦୀର ପାଶ୍ୱର୍ରେ ଥିବା କାଣ୍ଡବା,ସାହୁପଡା, ଶ୍ରୀରାମପୁର, ଅମରସିଂହପୁର,ଚାରିଗାଁ, ଚକ୍ରାପାଢୀ,ଅଣିଜୋ,ଇଟୁଆ,ବିରିଡିହି ଆଦି ଗ୍ରାମଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀନଦୀରେ ଲିନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସଳନ୍ଦୀକୁ ମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।