Onn 3

ଅବ୍ୟବସ୍ଥାରେ ଜୟକୃଷ୍ଣ ବିଦ୍ୟାଳୟ, ୫ ଗୃହରେ ୮ଶ୍ରେଣୀ

State

ଆଗରପଡ଼ା: ନା ଅଛି ଶ୍ରେଣୀ ଗୃହ,ନା ଅଛି କାର୍ଯ୍ୟାଳୟ,ନା ଅଛି ଝିଅ ପିଲାଙ୍କ ପାଇଁ ବ୍ୟବହାର ଯୋଗ୍ୟ ଶୌଚାଳୟ ତଥାପି ଚାଲିଛି ବିଦ୍ୟାଳୟ । ପିଲା ଅଛନ୍ତି,ଆବଶ୍ୟକୀୟ ଶିକ୍ଷକ ମଧ୍ୟ ଶିକ୍ଷାଦାନ ପାଇଁ ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଶିକ୍ଷାଦାନ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅର୍ନ୍ତଗତ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ଜୟକୃଷ୍ଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ । ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ନାଗରିକର ମୈାଳିକ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥିବାରୁ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଗୁରୁ ଦାଇତ୍ୱ ରହିଛି । ଉକ୍ତ ଯୋଜନାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବିଦ୍ୟାଳୟକୁ ଦେଖିଲେ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିବା ସହ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏବେ କେବଳ ପ୍ରଚାର ଓ ପ୍ରସାରରେ ସିମିତ ପ୍ରାୟ ଥିବାର ଜଣାପଡ଼େ । ୧୯୬୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୫ଟି ଗୃହରେ ଚାଲିଛି ୮ଟି ଶ୍ରେଣୀର ପାଠପଢା । ସ୍ଥାୟୀ ଅଫିସ ଗୃହ ନଥିବାରୁ ଏହା ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ।

ସେହିପରି ରାଜ୍ୟସଭା ସାଂସଦଙ୍କ ଅନୁଦାନ ପାଣ୍ଠିରୁ ମିଳିଥିବା କମ୍ପ୍ୟୁଟର ଶ୍ରେଣୀ ଗୃହ ଅଭାବରୁ ବ୍ୟବହାର ଯୋଗ୍ୟ ହୋଇ ନପାରି ଖତ ଖାଉଛି । ମହିଳାମାନଙ୍କ ପାଇଁ ଥିବା ଶୈାଚାଳୟର ଆବଶ୍ୟକତା ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ପାରିନାହିଁ । ସ୍କୁଲ ପରିସରରେ ପରିତ୍ୟକ୍ତ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଅଧପନ୍ତରିଆ ଅବସ୍ଥାରେ ଥିବା ଶ୍ରେଣୀ ଗୃହର ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍କୁଳ ନିର୍ଦ୍ଦେଶ କରୁଛି । ଏହିପରି ନାନାଦି ସମସ୍ୟା ମାନ ଏଠାରେ ରହିଛି । ସରକାରୀ ସ୍ତରରେ ଛତୁ ଫୁଟିବା ପରି ବିଦ୍ୟାଳୟମାନ ଖୋଲା ଯାଉଥିଲେ ସୁଦ୍ଧା ଅଧ୍ୟୟନ କ୍ଷେତ୍ରରେ ସେହିପରି କୌଣସି ସୁବିଧା ସୁଯୋଗ ଉପଲବ୍ଧ ହେଉ ନଥିବାରୁ ଏହା ଦ୍ୱାରା କିଛି ସୁଫଳ ମିଳିବା ବଦଳରେ ଏହା ଏକ ପ୍ରହସନରେ ପରିଣତ ହେଉଛି । ଏହି ପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିତ ଭାବେ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଇବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।