Onn 3

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଆୟୁଷ କେତେ ?

State

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ ।

ଆଜି ଏକ ପ୍ରେସମିଟ୍ କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଆସିଲେ ନବୀନ ବାବୁଙ୍କର ମନେପଡେ ଯୋଜନା । ଏହା ପୂର୍ବରୁ ମଧ୍ୟ ଠିକ ଏମିତି ଯୋଜନା କରିଥିଲେ ନବୀନ ବାବୁ । ପିଠା ଯୋଜନା, କାଳିଆ ଯୋଜନା, ଆମ ସ୍କୁଲ, ଆମ ଗାଁ ଯୋଜନା  ଇତ୍ୟାଦି । ହେଲେ ଏ ସବୁ ଯୋଜନାର କ’ଣ ହେଲା ? ଠିକ ସେମିତି ଆମ ଓଡ଼ିଶା ନୀବନ ଓଡ଼ିଶା ଯୋଜନା । ୨୪ ବର୍ଷ ପରେ ନବୀନଙ୍କ ମନେ ପଡିଲା ନବୀନ ଓଡ଼ିଶା କଥା । ତେବେ ଏହି ଯୋଜନାର ଆୟୁଷ କେତେଦିନ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି ବୋଲି କହିଛନ୍ତି ପିସିସି ସଭାପତି । ଯଦି ବିକାଶ ଚାହୁଁଛନ୍ତି, ତେବେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କରିଥାନ୍ତେ । ହେଲେ ତାହା ନ କରି ୪ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।

ଶରତ ପଟ୍ଟନାୟକ କହିଛନ୍ତି, ଏହି ୪ ହଜାର କୋଟିର ଟେଣ୍ଡର ହେବନାହିଁ । ଏଠାରୁ ବାବୁମାନେ ଯାଇ, ସରକାରୀ ଅର୍ଥରେ ଲୋକଙ୍କୁ ଡକାଯିବ । ବଡ ବଡ ସ୍କ୍ରିନ ଲାଗିବ । ଏଠାରୁ ଥାଇ ନବୀନ ବାବୁ ‘ଆପଣମାନେ ଖୁସି ତ ’ ବୋଲି କହିବେ । ଆପଣଙ୍କ ପାଇଁ ଯୋଜନା ହେଲା ବୋଲି କହିବେ ।ଯଦି ନବୀନ ବାବୁ କରିବାକୁ ଚାହୁଁଛନ୍ତି ତେବେ ଶୀତଳଭଣ୍ଡାର ଖୋଲନ୍ତୁ, ଚାଷୀଙ୍କ ଦୁଃଖ ବୁଝନ୍ତୁ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’।ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର‌୍ୟ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଖର୍ଚ୍ଚ ହୋଇପାରିବ।   ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଗତକାଲି ଅନୁମୋଦନ ଦେଇଛି ।