ଶଗଡ଼ର ସ୍ଥାନ ନେଇଛି ଟ୍ରାକ୍ଟର
ଆଗରପଡ଼ା: ପୂର୍ବରୁ ଚାଷ କାର୍ଯ୍ୟରେ ଚାଷୀଭାଇମାନେ ଶଗଡ଼ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରୁଥିଲେ । ଚାଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉକ୍ତ ଶଗଡ଼ର ଆବଶ୍ୟକତା ପଡ଼ୁଥିଲା । ବୈଶାଖର ଅକ୍ଷୟ ତୃତିୟାରେ ମୁଠି ଅନୁକୁଳ ପାଇଁ ପୂର୍ବରୁ ଚାଷୀମାନେ ତାଙ୍କର ବିଲବାଡ଼ିକୁ ହଳ କରି ମାଟିକୁ ଉର୍ବର କରୁଥିଲେ । ନିଜ ବାଡ଼ି ପଟେ ଜମା ହୋଇଥିବା ବର୍ଷ ଯାକର ଖତକୁ ଗୁରଲ ଲଗାଇ ଶଗଡ଼ରେ ବୋହି ନେଉଥିଲେ । ଧାନବୁଣା ବେଳେ ଧାନ,ରୁଆ ବୁହୁଡ଼ା ବେଳେ ସାର ଓ ଧାନପଲ୍ଲା ଆଦି ବୋହି ନେବା ଆଣିବା ପାଇଁ ଶଗଡ଼ର ଭୂମିକା ମହତ୍ୱପୂର୍ଣ୍ଣ ଥିଲା । ଅମଳକ୍ଷମ କଟାଧାନକୁ ଶଗଡ଼ରେ ଚାଷୀ ବୋହିନେଇ ଖଳାରେ ଜମା କରୁଥିଲା । ଖଳାରେ ଧାନ ମଡ଼ାଇବା ପରେ ତାକୁ ଶଗଡ଼ରେ ଖୁସିମନରେ ଘରକୁ ଆଣୁଥିଲା । ପନିପରିବା ଚାଷୀ ଶଗଡ଼ ମାଧ୍ୟମରେ ନିଜ ଉପାର୍ଜିତ ପନିପରିବାକୁ ବଜାରକୁ ବିକ୍ରି କରିବା ପାଇଁ ନେଇଥିଲା । ବର୍ତ୍ତମାନ ଯୁଗରେ ଚାଷକାମ ପାଇଁ ଟ୍ରାକ୍ଟର ବ୍ୟବହାର ଯୋଗୁଁ ଶଗଡ଼ ଉପରୁ ଚାଷୀମାନେ ମୁହଁ ଫେରାଇ ଆଣୁଛନ୍ତି । ହେଲେ ଉକ୍ତ ଶଗଡ଼କୁ ପୌରାଣିକ ଯୁଗରେ ମଧ୍ୟ ବ୍ୟବହାର କରାଯାଇଥିଲା । ଶଗଡ଼ର ବ୍ୟବହାର ବହୁତ ପ୍ରାଚୀନ । ପୁରାଣ ଯୁଗର ମହାଭାରତରେ ଉକ୍ତ ଶଗଡ଼ର ବ୍ୟବହାର ହୋଇଥିବା ଜଣାପଡ଼େ । ମଣ୍ଡାଖିଆ ଅସୁରକୁ ବଧ କରିବାକୁ ଭୀମ ଏଇ ଶଗଡ଼ରେ ମଣ୍ଡା ପିଠା ବୋହି ନେଇଥିଲେ ।
ବହୁ କବି ସାହିତ୍ୟିକ ନିଜ ଲେଖନୀରୁ ବହୁ ପୁରୁଣା କାଳର ବିଭିନ୍ନ ଗଳ୍ପ ତଥା କବିତା ମାନ ଲେଖିଥିବା ଦୃଷ୍ଟିଗୋଚର ହୁଏ । ଗୋଦାବରୀଶ ମିଶ୍ରଙ୍କ ‘ମାଗୁଣିର ଶଗଡ଼’,ଅନନ୍ତ ପ୍ରସାଦ ପଟେଲଙ୍କ ‘ଶଗଡ଼’ ଗଳ୍ପରେ ଯାନ୍ତ୍ରୀକ ଟ୍ରାକ୍ଟର ବ୍ୟବହାରରେ ଶଗଡ଼ିଆ ମାନଙ୍କ ବୃତ୍ତି କିପରି ଭାବରେ ଲୁଣ୍ଠିତ ହୋଇ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ତାହା ଦେଖିବାକୁ ମିଳେ । ମଣିଷ ଚକର ବ୍ୟବହାର ଶିଖିବା ପରେ ନିଜେ ପରିବହନ ବ୍ୟବସ୍ତା କୁ ସୁଦୃଢ କରିବାକୁ ନିର୍ମାଣ କରିଥିଲା । ଏବଂ ଶଗଡ଼ର ନିର୍ମାଣ ଶୈଳୀକୁ ଖୁବ୍ ନିଆରା । ଲମ୍ବାଳିଆ ଚାରିଖଣ୍ଡ କାଠ,ଗୋଟିଏ ଅଖ ଓ ଦୁଇଟି ଚକକୁ ନେଇ ଏହା ଗଠିତ । ବରଗଡ଼ ଜିଲା ବିଜେପୁର ବ୍ଲକ ଅର୍ନ୍ତଗତ ତାଳପଦର ଗ୍ରାମରେ ଶଗଡ଼ ଏବଂ ଶଗଡ଼ ଚକ ତିଆରି ପାଇଁ ଖୁବ୍ ପରିଚିତ ଲାଭ କରିଥିଲା । ବହୁ ଦୂରଦୂରାନ୍ତରୁ ବରାଦ ଦେବାପାଇଁ ଧାଇଁ ଆସୁଥିଲେ । ହେଲେ ବର୍ତ୍ତମାନ ଯାନ୍ତ୍ରୀକ ଯୁଗରେ ଯାନ୍ତ୍ରୀକ ଯାନର ବ୍ୟବହାର ଯୋଗୁଁ ଶଗଡ଼ତାର ଅସ୍ତିତ୍ୱ ହରାଇବା ସହ ଅଲୋଡ଼ା ହୋଇ ପଡ଼ିଛନ୍ତି ଶଗଡ଼ କାରିଗର । ପ୍ରାଚୀନ କାଳରୁ ମଣିଷ ଶଗଡ଼କୁ ମାଲପରିବବହନ ମାଧ୍ୟମ କରିଥିବା ଇତିହାସରୁ ଜଣାପଡ଼େ । ଗଧ,ଘୋଡ଼ା ଭଳି ବିଭିନ୍ନ ପଶୁ ଦ୍ୱାରା ପ୍ରଥମେ ଅନ୍ୟତ୍ର ମାଲ ପରିବହନ କରୁଥିଲା । ମାତ୍ର ଉକ୍ତ ବାହାନ ଅପେକ୍ଷା ଶଗଡ଼ରେ ଯଥେଷ୍ଟ ପରିମାଣରେ ମାଲ ନେବା ଆଣିବା ହୋଇପାରୁ ନଥିବାରୁ ଶଗଡ଼ର ବ୍ୟବହାର ପ୍ରକୃଷ୍ଟ ମାଧ୍ୟମ ବୋଲି ବାଛିନେଇଥିଲା । ଏଥିପାଇଁ ସ୍ୱତନ୍ତ୍ର ରାସ୍ତାର ମଧ୍ୟ ଆବାଶ୍ୟକତା ନାହିଁ । ଶଗଡ଼ରେ ହଳେ ବଳଦକୁ ଯୋଡ଼ିନେଲେ ବେଶ ଆରମରେ ଯେକୌଣସି ସ୍ଥାନକୁ ପହଞ୍ôଚ ପାରୁଥିଲା । ବଣିକ ମାନେ ବାଣିଜ୍ୟ କରିବାକୁ ସହଜରେ ଶଗଡ଼ରେ ମାଲପତ୍ର ବୋହିନେଇ ପାରୁଥିଲେ ।
କେବଳ ସେତିକି ନୁହେଁ ବାହାଘର ମାନଙ୍କରେ ବର ଶଗଡ଼ ମାଧ୍ୟମରେ ବରଯାତ୍ରୀ ଯାଇ ବୋହୂକୁ ନେଇଁ ଘରକୁ ମଧ୍ୟ ବେଶ ଆରମରେ ଫେରିପାରୁଥିଲା । ଲୋକେ ଶଗଡ଼ ସାହାର୍ଯ୍ୟରେ ନିଜ ପରିବାରକୁ ଧରି ତିର୍ଥଯାତ୍ରା କରିଥିବା ଜଣାପଡ଼େ । ତେଣୁ ଏହି ଶଗଡ଼ ଲୋକମାନଙ୍କର ପରମ୍ପରାରେ ମଧ୍ୟ ଜଡ଼ିତ । ଯାହାଫଳରେ କି ଶଗଡ଼ିଆ ମାନେ ଶଗଡ଼ ତଥା ଚକ ତିଆରି କରି ନିଜ ପେଟପାଟଣା କରୁଥିଲେ । ହେଲେ ଯାନ୍ତ୍ରିକ ଯାନର ପ୍ରଭାବରେ ଶଗଡ଼ିଆମାନେ ନିଜର ଜିବିକା ହରାଇ ବସିବା ସହିତ ଇତିହାସ ହେଲାଣି ଗାଁ ଗହଳର କେଁ କଟର ଶଗଡ଼ର ଶଦ୍ଦ । ବର୍ତ୍ତମାନ ସମୟରେ ଯାନ୍ତ୍ରୀକ ଶିଳ୍ପିର ପ୍ରଦୂଷଣରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ମଧ୍ୟ ପ୍ରଦୂଷଣ ମୁକ୍ତ ଶଗଡ଼ ବାସ୍ତୁବାଦୀ ଲୋକଙ୍କ ପାଇଁ ତାହା ଇତିହାସ ହୋଇଗଲାଣି । ପିଲାଙ୍କ ଛବି ବହିରେ ଏକ ଛବି ଭାବରେ ଏହା ପୃଷ୍ଠା ମଣ୍ଡନ କରୁଛି ବୋଲି କହିଲେ ତାହା ଅତ୍ୟୁକ୍ତି ହେବ ନାହିଁ ।