ଭୁବନେଶ୍ୱର: ଆଜି ପବିତ୍ର ଜନାଷ୍ଟମୀ । ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀ କୃଷ୍ଣ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ ।
ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ମଧ୍ୟ ରାତ୍ରୀରେ କୃଷ୍ଣଜନ୍ମ ଉତ୍ସବ ପାଳନ ପରେ ଉପବାସ ଭଙ୍ଗ କରିଥାନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗିମାନଙ୍କରେ ଅଥବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ାଯାଇଥାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦା ରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ।