Onn 3

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

Religion and Cult

ସମ୍ପୂର୍ଣ୍ଣ ରୁପେ ସଜାଗ ଓ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓଶ୍ଵାନ ହଲଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ବାସ୍ତବିକତାର ଦୃଷ୍ଟିକୋଣରୁ କାର୍ଯ୍ୟାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଯେଉଁ ମାନକ ସ୍ଥିର କରିଛି ତାହା ସବୁ ପରିସ୍ଥିତିରେ ବଜାୟ ରଖିବା ଜରୁରୀ ବୋଲି ସେ କହିଥିଲେ। ବିଧାୟକ ଶ୍ରୀ ବିଜୁଳି ଏବଂ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ଜନପ୍ରତିନିଧି ମାନଙ୍କର ସହକାରୀ ମାନେ ମୟୂରଭଞ୍ଜର ବିଭିନ୍ନ ଅଂଚଳର ବପିର୍ଯ୍ୟୟ ଜନିତ ଅଭାବ ଅସୁବିଧା ବାବଦରେ ପ୍ରଶାସନର ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିବା ସହ ତାହାର ସମାଧାନ ଦିଗରେ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତର ଏବଂ ବ୍ଲକ କାର୍ଯ୍ୟାଳୟ ସ୍ତରରେ କଂଟ୍ରୋଲରୁମ ର କାର୍ଯ୍ୟକାରିତା, ବିଭିନ୍ନ ନଦୀବନ୍ଧ ମରାମତି,ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା, ସହରାଂଚଳର ଡ୍ରେନେଜ ସଫେଇ,ଦୁର୍ଗମ ଅଂଚଳରେ , ଖାଦ୍ୟ,ଔଷଧ,ପାନୀୟଜଳ ଆଦି ମହଜୁଦ ରଖିବା ଏବଂ ପହଂଚାଇବାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପ୍ରତ୍ୟକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା ।

ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ପିଆରଆଇ ମାନଙ୍କୁ ସଠିକ ଭାବେ ଉପଯୋଗ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା । କଂଟ୍ରୋଲ ରୁମମାନଙ୍କର ଟେଲିଫୋନ ନମ୍ବର ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଏବଂ ଏହାର ଉପଯୋଗୀତା କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ଷା ଦିନରେ ସାପକାମୁଡାରେ ଅନେକ ଜନସାଧାରଣ ଜୀବନ ହାନି ହେଉଥିବା ଯୋଗୁ ଏହି ସଚେତନତା କୁ ଲୋକାଦୃତ କରିବା ପାଇଁ ଜିଲ୍ଲାପଲ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି, ସମସ୍ତ ପଂଚାୟତରେ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ନିମନ୍ତେ ପକ୍କା ଘରର ବ୍ୟବସ୍ଥା କରିବାକୁ ଏବଂ ଆଶ୍ରୟସ୍ଥଳୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଯଥା ଆବଶ୍ୟକ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ, ଜନସ୍ୱାସ୍ଥ୍ୟ ବିଭାଗ,ଜଳଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ, ଡ୍ରେନେଜ,ସାଧାରଣ ଯୋଗାଣ ବିଭାଗ, ଟିପିଏନଓଡିଏଲ, ବିଏସଏନଏଲ,ସ୍ୱାସ୍ଥ୍ୟ ବିଭାଗ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ନିଜ ନିଜର ବିପର୍ଯ୍ୟୟ ପ୍ରସ୍ତୁତିର ଏକ ସମ୍ପୂର୍ଣ୍ଣ ବିବରଣୀ ରଖିଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ପୁନଶ୍ଚ ବିଶେଷ ଭାବେ ବିଭିନ୍ନ ଦିଗ ଉପରେ ବୈଠକ ଆହ୍ୱାନ କରାଯିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ବାରିପଦା ଉପଜିଲ୍ଲାପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ,ସମସ୍ତ ଉପଖଣ୍ଡର ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ।