Onn 3

ଦର୍ଶକଙ୍କ ମନ ମୋହିଲା ନାଟକ ସ୍ମୃତି ବିସ୍ମୃତି

Religion and Cult State

ବାରିପଦା: ସ୍ଥାନୀୟ ସହିଦ ଭବନରେ ସୁନାମଧନ୍ୟ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ କୁମାର୍ସ କ୍ଲବ ଦ୍ୱାରା ଆୟୋଜିତ ତିନି ଦିନିଆ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବାରିପଦାର ରୂପାନ୍ତର ନାଟ୍ୟସଂସ୍ଥା ଦ୍ୱାରା ନାଟକ ସ୍ମୃତି ବିସ୍ମୃତି ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଓ ପରେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ପ୍ରୟାସ ଶତପଥୀ, ରାମଚନ୍ଦ୍ର ମହାପାତ୍ର, ସତ୍ୟନାରାୟଣ ଦାସ, ସପନ କୁମାର ପଣ୍ଡା, ନାରାୟଣ ମଣ୍ଡଳ, ଦିନେଶ ସାହୁ, ରବୀନ୍ଦ୍ର ବେହେରା, ସଂଜୀବ କୁମାର ଦଳେଇ, ପଦ୍ମିନୀ ପାଢ଼ୀ, ରଶ୍ମିତା ସାମଲ ଓ ଦେବସ୍ମିତା ସାବତ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ କଣ୍ଠଦାନ ସହ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ସିଂହ ଓ ଗୀତ ରଚନା କରିଥିଲେ ରାଜଶ୍ରୀ ସାହୁ I

ମଞ୍ଚ ପରିଚାଳନାରେ ସୋମନାଥ ସିଂହ, ଆଲୋକ ବାରିକ ଓ ବିଶ୍ୱମ୍ବର ସିଂ ସହାୟତା କରିଥିଲେ I ସାମ୍ପ୍ରତିକ ଖଣ୍ଡ ବିଖଣ୍ଡିତ ସମାଜରେ ପୁଅବୋହୁ, ନାତିନାତୁଣୀଙ୍କ ଠାରୁ ଅଲଗା ରହୁଥିବା ବୁଢାବୁଢୀଙ୍କ ଦୟନୀୟ ଅବସ୍ଥା ତଥା ପୁଅବୋହୁ ଓ ସମାଜ ଦ୍ୱାରା ପ୍ରତାରିତ ହୋଇ ସମ୍ମୁଖୀନ ହେଉଥିବା ଦୁରାବସ୍ଥାର ଏକ ନିଚ୍ଛକ ଚିତ୍ର ପ୍ରଦାନ କରିଥିଲେ କଳାକାର ମାନେ I ନାଟକଟି ଏତେ ଜୀବନ୍ତ ହୋଇଥିଲା ଯେ ଏହା ଦର୍ଶକମାନଙ୍କର ମନକୁ ମୋହି ନେଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ନାଟକ ମହୋତ୍ସବକୁ ଉଦଘାଟନ କରିବା ସହ ଶେଷ ପର୍ଯ୍ୟନ୍ତ ବସି ନାଟକଟିକୁ ଦେଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସ୍ବର୍ଗତ ତ୍ରିପାଠୀଙ୍କ ସହଧର୍ମିଣୀ ପ୍ରାଧ୍ୟାପିକା ଉଷସୀ ମିଶ୍ର ଓ ନାଟକ ମହୋତ୍ସବର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I