Onn 3

କେନାଲ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ: ରାସ୍ତା କାମ ନହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

State

ନିଶ୍ଚିନ୍ତକୋଇଲି:କେନ୍ଦୁପାଟଣା ଜଳସମ୍ପଦ ବିଭାଗ ଅଧିନରେ ଥିବା ୮ଏ କେନାଲ ବନ୍ଧ ରାସ୍ତା ଝାରପଡ଼ା ପୋଲ ପାଖରୁ ଭାୟା ଜଗନ୍ନାଥପୁର ମସ୍ତାବନ୍ଧ ପର୍ଯ୍ୟନ୍ତ ୨.୫ କି.ମି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଫଗୋଳ ପଞ୍ଚାୟତର ଏହା ଏକ ପ୍ରମୁଖ ରାସ୍ତା ଅଟେ । ଏହି ରାସ୍ତା ପାଶ୍ୱର୍ରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମନ୍ଦିର ରହିଥିବାବେଳେ ରାସ୍ତା ପାଶ୍ୱର୍ରେ ଫଗୋଳ ଗାଁ ଅବସ୍ଥିତ । ଟିକିଏ ବର୍ଷା ହେଲେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିବାରୁ ଲୋକମାନେ ଘରୁ ପଦାକୁ ବାହାରିପାରୁନଥିବା ଅଭିଯୋଗ କରିଛନ୍ତି । ଏହାଛଡ଼ା ଏହି ରାସ୍ତା ଦେଇ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନସ , ଦମକଳଗାଡ଼ି ଏବଂ ଅନ୍ୟାନ୍ୟ ଚାରିଚକିଆ, ଦୁଇଚକିଆ ଯାନବାହନ ଯାତାୟତ କରିପାରୁନାହିଁ ।

ବିଭିନ୍ନ କର୍ଯ୍ୟରେ ଗଲାବେଳେ ଲୋକମାନେ କାଦୁଅରେ ପାଦରେ ଚାଲିଚାଲି ଯାଉଥିଲାବେଳେ ହାତରେ ଚପଲ ଧରିଥାନ୍ତି । ଦୀର୍ଘବର୍ଷ ହେବ ଉକ୍ତ ରାସ୍ତାକୁ ଉନ୍ନତିକରଣ କରିବା ପାଇଁ ପଞ୍ଚାୟତ ସ୍ତରରୁ ବ୍ଲକ ପ୍ରଶାସନ ଏପରିକି ବିଧାୟକଙ୍କ ନିକଟରେ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ପଞ୍ଚାୟତ ଓ ସାଧାରଣ ନିର୍ବାଚନ ପୂର୍ବରୁ ଖୁବଶୀଘ୍ର ରାସ୍ତା ହୋଇଯିବା କଥା ନେତାମାନେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥାନ୍ତି । ନିର୍ବାଚନୀ ସରିଯିବା ପରେ ରାସ୍ତାର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଥାଏ । ଗତ ୨୦୧୮ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଖୋଦ୍ ମାହାଙ୍ଗା ବିଧାୟକ ମସ୍ତରା ବନ୍ଧ ଠାରେ ଏହାର ଶିଳାନ୍ୟାସ କରିଥିଲେ ମଧ୍ୟ ଅଦ୍ୟାବଧି ଏହି କାର୍ଯ୍ୟ ହୋଇପାରିନାହିଁ ।

ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ ଆସିବ ହେଲେ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ କେହି ଚିନ୍ତା କରୁନାହାଁନ୍ତି । ଟିକିଏ ବର୍ଷା ହେଲେ ରାସ୍ତାରେ ଯାତାୟତ କରିପାରୁନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଅତିଷ୍ଟ ହୋଇ ନିର୍ବାଚନ ପୂର୍ବରୁ ଉକ୍ତ ରାସ୍ତାକୁ ଯଦି ପିଚୁ କିମ୍ବା ଢଳେଇ କରାନଯାଏ ତାହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲା ବେଳେ ଆବଶ୍ୟକ ହେଲେ କଟକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ଅବରୋଧ କରିବେ ବୋଲି ଚରମ ଚେତାବନୀ ଦେଇଛନ୍ତି ।