Photo For The News Of Water Project

ଅବଧି ସରିବାକୁ ବର୍ଷେ ପୁରିବ, ଅଧପନ୍ତରିଆ ପ୍ରକଳ୍ପକୁ ନେଇ ଚିନ୍ତାରେ ଅଂଚଳବାସୀ

State

ଆଗରପଡ଼ା :ଅବଧି ସରିବାର ୧୧ମାସ ପରେବି ପ୍ରକଳ୍ପ ନିର୍ମାଣ ସରୁନଥିବାରୁ ଶୁଦ୍ଧ ପାନୀୟ ଜଳ ପାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଂଚଳବାସୀ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କମହାଜିବ ଠାରେ ନିର୍ମାଣାଧିନ ପାନୀୟ ଜଳଯୋଗାଣ ପ୍ରକଳ୍ପ ଠାରେ । କାର୍ଯ୍ୟସ୍ଥଳୀ ନିକଟରେ ସ୍ଥାଣିତ ସୂଚନା ଫଳକରେ ଲିପିବଦ୍ଧ ସୂଚନା ଅନୁଯାୟୀ ଓଡ଼ଙ୍ଗ ପଂଚାୟତର ବୋଡ଼କମହାଜିବ ଓ ବୋଡ଼କପାଟଣା ଗ୍ରାମବାସୀଙ୍କ ନିମନ୍ତେ ବୋଡ଼କମହାଜିବ ଠାରେ ୨୦୨୨-୨୩ ଆର୍ଥକ ବର୍ଷରେ ୧କୋଟି ୫୮ଲକ୍ଷ ୨୯ହଜାର୨୯୩ଟଙ୍କା ଅଟକଳ ମୂଲ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ମଂଜୁରୀ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ମାସ ୩ ତାରିଖରେ ଆରମ୍ଭ ହୋଇ ୨୦୨୩ ଜୁଲାଇ ମାସ ୩ ତାରିଖରେ ଶେଷ ହେବା କଥା । କିନ୍ତୁ ଇତି ମଧ୍ୟରେ ଅବଧି ସରିବାର ୧୧ମାସ ପରେବି ଏଠାରେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । କାଁ ଭାଁ କିଛି ଜାଗାକୁ ଛାଡ଼ି ପାଇପ ପିଛାଇବା କାର୍ଯ୍ୟ ଅଦ୍ୟାବଧି ସରିଯାଇଥିବା ବେଳେ ଗୃହ ନିର୍ମାଣ ଓ ଟାଙ୍କି ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ତେଣୁ ସରକାରଙ୍କ ଧାର୍ଯ୍ୟ ସମୟରେ ଏହା କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉକ୍ତ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଠାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ତରଫରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବସୁଧା ଯୋଜନାରେ ଜଳଯୋଗାଣ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଏଠାରେ ଉକ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ଫେଲ ମାରିବା ସହ ପାନୀୟ ଜଳଯୋଗାଣ ଠପ୍ ହୋଇପଡ଼ିଛି । ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୩୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ପୋଷ୍ଟ ଅକାମୀ ହୋଇ ପଡ଼ିଛି । କାହାର ଟ୍ୟାପ୍ ନାହିଁତ କେଉଁଠି ପାଇପ୍ ମଧ୍ୟ ନାହିଁ । ଏଥିରେ ଜଳ ଯୋଗାଣବି ସଂପୂର୍ଣ୍ଣ ବନ୍ଦ ରହିଛି । ତେଣୁ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ଦୀର୍ଘ ସ୍ଥାୟୀ କରିବା ଓ ସମୟ ଅବଧି ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।