Wrwe

ଛାତ୍ରଙ୍କ ହାତ ତିଆରି ମୂର୍ତ୍ତି ପୂଜା ପାଇଲେ ବିଦ୍ୟାଳୟରେ

State

ବାରିପଦା :ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଆଶିଷ ବିଶ୍ୱାଳଙ୍କ ହାତ ତିଆରି ମା’ ସରସ୍ବତୀଙ୍କ ମୂର୍ତ୍ତି ବିଦ୍ୟାଳୟରେ ପୂଜା ପାଇଲେ I ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ସମେତ ବହୁ ନିମନ୍ତ୍ରିତ ଅତିଥି ଅବିଭାବକ ଏବଂ ସ୍ଥାନୀୟ ଜନସାଧାରଣ ମା’ ଙ୍କ ମୂର୍ତ୍ତି ଦେଖି ଆଶିଷଙ୍କୁ ଅଭିନନ୍ଦନ ଜଣାଇବା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I ସମାଜସେବୀ ଅମର କୁମାର ସେଠି ମନ୍ତ୍ରମୁଗ୍ଧ ହୋଇ ତାଙ୍କୁ ଅର୍ଥରାଶି ପ୍ରଦାନ କରି ଉତ୍ସାହିତ କରିବା ସହ ଏହି ପ୍ରୟାସ ଜାରି ରଖିବାକୁ ଉପଦେଶ ଦେଇଥିଲେ I ପିଲାଦିନୁ ଆଶିଷ ମାଟିରେ ଭିନ୍ନଭିନ୍ନ ଖେଳନା ତିଆରି କରି ସମସ୍ତଙ୍କୁ ଚକିତ କରିଦେଉଥିଲେ I ଅଳ୍ପ ବୟସରେ ମା’ ଙ୍କୁ ହରାଇ ପାଠପଢ଼ାରେ ଡୋରି ବାନ୍ଧି ପରିବାର ପୋଷଣ ପାଇଁ ବାପାଙ୍କ ସହ କାମରେ ସାହାଯ୍ୟ କରିବାକୁ ଲାଗିଲେ I ଏହିଭଳି ପିଲାମାନଙ୍କ ପାଇଁ ଦେବଦୂତ ସାଜି ଆସିଥିବା ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମରେ ଅନେକ ପିଲା ପୁଣି ଥରେ ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ପାଇଥିଲେ I ଆଶିଷ ପୁଣି ଥରେ ପାଠପଢିଲେ ଓ ଜୁଆଳିଆ ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟରେ ହଷ୍ଟେଲ ରହି ପଢିଆସୁଛନ୍ତି I ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସେ ବହୁବାର ପୁରସ୍କୃତ ହୋଇଛନ୍ତି I ତିନି ବର୍ଷ ମଧ୍ୟରେ ତାଙ୍କ ହାତ ତିଆରି ଗଣେଶ ଓ ସରସ୍ବତୀ ଙ୍କ ମୂର୍ତ୍ତି ବିଦ୍ୟାଳୟରେ ପୂଜା ପାଇଆସୁଛନ୍ତି I ତାଙ୍କର ଏହି ସଫଳତା ପାଇଁ ଜୁଆଳିଆ ବିଦ୍ୟାଳୟର ଲିପି ଦିଦି ତଥା ବର୍ତ୍ତମାନ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାରାଣ୍ଡି, ୱାର୍ଡେନ ସରୋଜ କୁମାର ସାବତ, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡା ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଓ ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି I ଭବିଷ୍ୟତରେ ଆଶିଷ ଜଣେ ବିଶିଷ୍ଟ ଚିତ୍ର ଓ ମୃତିକାଶିଳ୍ପୀ ହୋଇପାରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ପ୍ରକାଶ କରିଛନ୍ତି I