Onn 3

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ସ୍କୁଲ ଲୋକାର୍ପିତ

State

ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି
ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପିଲାମାନଙ୍କୁ ପରାମର୍ଶ
ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି – ମୁଖ୍ୟମନ୍ତ୍ରୀ
ସ୍କୁଲ ରୂପାନ୍ତର ଏକ ସ୍ୱପ୍ନ ଭଳି ଥିଲା, ସମସ୍ତଙ୍କ ସହଯୋଗରେ, ଟିମ୍‌ ୱାର୍କରେ ଏହା ଅଭୂତପୂର୍ବ ସଫଳତା ପାଇଛି- 5T ଅଧ୍ୟକ୍ଷ
ସ୍କୁଲ ରୂପାନ୍ତର ଆମ ପାଠପଢା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି, ଆମ ଲକ୍ଷ୍ୟ ପୂରଣ ନେଇ ଆମେ ଦୃଢ ନିଶ୍ଚିତ – ଛାତ୍ରଛାତ୍ରୀ

ବାରିପଦା:  5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ, ବେତନଟୀ ବ୍ଲକର କଳମା ଗ୍ରାମସ୍ଥ ଭଞ୍ଜ ଭୂମି ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଶିକ୍ଷାନୁଷ୍ଠାନଗୁଡିକୁ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସ୍ୱତନ୍ର ଉନ୍ନୟନ କର୍ତୃପକ୍ଷ, ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି ଯୋଗଦାନ କରିଥିବା ବେଳେ, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ମାର୍ଣ୍ଡି କହିଛନ୍ତି ଯେ ରୂପାନ୍ତରୀକରଣ ପ୍ରକ୍ରିୟା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଯାହା ଆଗାମୀ ଦିନରେ ଓଡ଼ିଶାର ଯୁବପିଢ଼ିଙ୍କ ବିକାଶ ତଥା ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣ ର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ପ୍ରଥମରୁ ସ୍କୁଲ ରୂପାନ୍ତର ଏକ ସ୍ୱପ୍ନ ଭଳି ଥିଲା । ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକ ସମସ୍ତଙ୍କ ସହଯୋଗରେ, ଟିମ୍‌ ୱାର୍କରେ ଏହା ଅଭୂତପୂର୍ବ ସଫଳତା ପାଇଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସେ ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ଅବସରରେ 5T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ନବମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟସୂତା ପ୍ରଧାନ ନିଜର ମତାମତ ଦେଇ କହିଲେ ଯେ ସ୍କୁଲ ରୂପାନ୍ତର ଆମ ପାଠପଢା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। 5T ଉପକ୍ରମ ଆମ ବିଦ୍ୟାଳୟର ସ୍ୱରୂପ ବଦଳାଇ ଦେଇଛି। ବର୍ତ୍ତମାନ ଆମେ ଆମର ଲକ୍ଷ୍ୟ ପୂରଣ ନେଇ ଗଭୀର ଆତ୍ମବିଶ୍ୱାସର ସହ ପାଠ ପଢୁଛୁ।

ଡାକ୍ତର, ଇଂଜିନିୟର, ଆଇ. ପି. ଏସ, ଶିକ୍ଷକ ହେବାକୁ ପିଲାମାନଙ୍କ ଲକ୍ଷ୍ୟ। ପିଲାମାନେ ସମସ୍ତେ ସେମାନଙ୍କ ଲକ୍ଷ୍ୟ ପୁରଣ ରେ ସଫଳ ହେବେ ବୋଲି ଆତ୍ମବିଶ୍ବାସ ସହ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ରାୟଗଡରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ବିଧାୟକ ଶ୍ରୀ ରୋହିତ ପୁଜାରୀ, ନୂଆପଡାରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଭଗତରାମ ମାଝୀ ଏବଂ ବଲାଙ୍ଗିରରେ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇ କହିଲେ ଯେ ଓଡିଶାର ପିଲାମାନେ ବଡ ହେବା ପାଇଁ, ଭଲ ମଣିଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି। ସାଧାରଣ ଗରୀବ ଘରର ପିଲା ମଧ୍ୟ ନିଜର ଲକ୍ଷ୍ୟ ପୂରଣ କରିପାରିବ। ପିଲାମାନଙ୍କର ପ୍ରତିଭା ଓ ସମ୍ଭାବନାକୁ ସ୍କୁଲ ରୂପାନ୍ତର ପୂର୍ଣ୍ଣ ବିକଶିତ କରିବ ବୋଲି ସେମାନେ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।