Cm Rly

ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ

State

ଭୁବନେଶ୍ୱର : ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ ନୂତନ ବନ୍ଦେ ଭାରତ ଟ୍ରେନ । ଟ୍ରେନର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ । ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ  ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି  ନିମନ୍ତ୍ରଣ କରିଛନ୍ତି ।

ଆଗାମୀ 15 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ରେଳବାଇର ମହାପ୍ରବନ୍ଧକ ।  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଚଳିତ ମାସ 15 ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଦେଶରେ 10ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି । ତନ୍ମଧ୍ୟରୁ ଓଡିଶା ମଧ୍ୟରେ 3ଟି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ।  କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା ମଧ୍ୟରେ 3 ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି । ନୂତନ 3 ଟି ଟ୍ରେନ ମିଶିଲେ ସମୁଦାୟ 6ଟି ବନ୍ଦେ ଭାରତ ଟ୍ରେନ ଓଡିଶାବାସୀଙ୍କୁ ସେବା ଯୋଗାଇବ । ଚଳିତ ବର୍ଷ ବଜେଟରେ ଓଡିଶା ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରେକର୍ଡ 10,586 କୋଟି ଟଙ୍କା କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ 54,434 କୋଟି ଟଙ୍କାର ରେଳ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିରହିଛି ।  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ।