Onn 3

ଛାତ୍ରଛାତ୍ରୀଙ୍କୁ ମିଳିଲା ଷ୍ଟାଇପେଣ୍ଡ ଆବେଦନର ସୁଯୋଗ, ଅର୍ଜୁନ ମୁର୍ମୁଙ୍କୁ ବାରିପଦାରେ ସମ୍ବର୍ଦ୍ଧନା

State

ବାରିପଦା: ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍‌ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ଆନ୍ଦୋଳନ ସଫଳ ହୋଇଥିବାରୁ ଆଜି ବାରିପଦା ନିକଟସ୍ତ ତକତପୁରଠାରେ ବିଭିନ୍ନ କଲେଜର ଛାତ୍ର ପ୍ରତିନିଧିମାନେ ପୁଷ୍ପଗୁଚ୍ଛ ଫୁଲମାଣଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଛନ୍ତି । ପ୍ରକାଶ ଥାଉକି ଚଳିତ ଶିକ୍ଷାବର୍ଷ ଷ୍ଟେଟ୍ ସ୍କୋଲାର୍ସିପ୍ ପୋର୍ଟାଲ୍ ରେ କେବଳ କିଛି ମନୋନୀତ ସରକାରୀ କଲେଜ୍‌ପାଇଁ ଛାତ୍ରବୃତ୍ତି ଆବେଦନର ବିକଳ୍ପ ରହିଥିଲା,ତେଣୁ ଅନ୍ୟ କଲେଜର ଛାତ୍ରଛାତ୍ରୀମାନେ ଅନ୍ ଲାଇନ୍ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ମାରିସା ପକ୍ଷରୁ ଡିସେମ୍ବର ୨୯ ତାରିଖ ଦିନ ମୟୂରଭଞ୍ଜର ସମସ୍ତ କଲେଜ୍‌ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା । ପରେ ଡିସେମ୍ବର ୨୭ ତାରିଖ ଦିନ ସଚିବାଳୟଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଏବଂ ଉପନିର୍ଦ୍ଦେଶିକା ସଂଘମିତ୍ରା ଦାସଙ୍କ ନିକଟରେ ମାରିସା ରାଜ୍ୟ ସଭାପତିଙ୍କ ନେତୃତ୍ଵରେ ଦାବୀ କରାଯାଇଥିଲା ।

ଦାବୀ ଅନୁଯାୟୀ ସ୍କୋଲାର୍ସିପ୍ ପୋର୍ଟାଲ୍ ରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ବେସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅନ୍ ଲାଇନ୍ ଆବେଦନର ସୁଯୋଗ ପ୍ରଦାନ କରାଯିବା ସହ ଛାତ୍ରବୃତ୍ତି ଆବେଦନ ସମୟସୀମା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଷ୍ଟାଇପେଣ୍ଡ ରାଶି ବୃଦ୍ଧିକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସମସ୍ତ ମହାବିଦ୍ୟାଳୟରେ ନାମଲେଖା ଫି, ରି ଆଡ଼ମିଶନ ଫି ସହିତ ସମସ୍ତ ଫି ଦିନକୁ ଦିନ ବୃଦ୍ଧି ହେଉଥିବାବେଳେ ଛାତ୍ରବୃତ୍ତି ପୂର୍ବରୁ ଯେତିକି ଥିଲା ଏଯାବତ୍ ସେତିକି ହିଁ ରହିଅଛି। ଏହା ଆଦିବାସୀ ଛାତ୍ରଛାତ୍ରୀଙ୍କ ଫି ଦାଖଲ ସମୟରେ ସମସ୍ୟା ସୃଷ୍ଟି କରୁଅଛି। କାରଣ ଅନେକ ଆଦିବାସୀ ଛାତ୍ରଛାତ୍ରୀମାନେ ଏହି ଷ୍ଟାଇପେଣ୍ଡ ଉପରେ ନିର୍ଭର କରୁଥିବାବେଳେ, ପାଠପଢା ସମୟରେ ଏହି ସମସ୍ୟା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମାନସିକ ସ୍ଥିତି ଦୋହଲାଇ ଦେଉଅଛି । ଏଣୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅବିଳମ୍ବେ ଏଥିପ୍ରତି ଦୃଷ୍ଟି ଦେଇ ଛାତ୍ରବୃତ୍ତି ରାଶି ବୃଦ୍ଧି କରିବାକୁ ମାରିସା ପକ୍ଷରୁ ଦୃଢ ଦାବୀ କରାଯାଇଛି ।