Onn 3

ଖତ ଖାଇବ ୫୨ ଲକ୍ଷର ପ୍ରକଳ୍ପ, କାର୍ଯ୍ୟକ୍ଷମ ହୋଇପାରୁନି ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର

State

ଆଗରପଡ଼ା :କେନ୍ଦ୍ରରୁ ମୁଖ୍ୟ ରାସ୍ତାକୁ ସଂଯୋଗୀ ରାସ୍ତା ନିର୍ମାଣ ହେବାକୁ ଇତି ମଧ୍ୟରେ ୪ମାସ ବିତିଯାଇଥିଲେ ସୁଦ୍ଧା ୫୨ ଲକ୍ଷ ୫୭ ହଜାର ଅଟକଳ ମୂଲ୍ୟରେ ନିର୍ମିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ଦିର୍ଦ୍ଦେଶ କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତରେ । ଉକ୍ତ ପଂଚାୟତରେ ୨୦୧୯ ମାର୍ଚ୍ଚ ମାସରେ ୫୨ ଲକ୍ଷ ୫୭ ହଜାର ଅଟକଳ ମୂଲ୍ୟରେ ଏକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିମନ୍ତେ ନୂତନ ଗୃହର ଶୁଭ ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟାସକୁ ଇତି ମଧ୍ୟରେ ୪ବର୍ଷ ୯ମାସ ବିତିଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ନହୋଇ ପଡ଼ି ରହିଛି । ନିର୍ମାଣ ପରେ ମୁଖ୍ୟ ରାସ୍ତା ଠାରୁ କେନ୍ଦ୍ରକୁ କୌଣସି ସଂଯୋଗ ରାସ୍ତା ନିର୍ମାଣ ହେଉନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଂଯୋଗୀ ରାସ୍ତା ନିର୍ମାଣ ହୋଇଥିଲା । ଯାହାକୁ ୪ମାସ ବିତିଗଲାଣି ।

କିନ୍ତୁ ଉକ୍ତ କେନ୍ଦ୍ର କାର୍ଯ୍ୟକ୍ଷମ ହେଉନଥିବାରୁ ଏହା ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି । ନିର୍ମାଣଧିନ କେନ୍ଦ୍ରଠାରୁ ପାଖାପାଖି ୫ଶହ ମିଟର ଦୂରରେ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ଟିଏ ଥିବା ସ୍ଥଳେ ଏହାର ଭିତ୍ତି ଭୂମିରେ ଉନ୍ନତି ଆଣିବା ପରିବର୍ତ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବା ଏବଂ ୪ବର୍ଷ ପରେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ନ କରାଇବା ପଛରେ ବିଭାଗର କି ସ୍ୱାର୍ଥ ଜଡ଼ିତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ସ୍ୱାସ୍ଥ୍ୟ ସେବାକୁ ଉନ୍ନତ ମାନର କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇ ପାରୁନଥିବା ଜଣାପଡ଼ିଛି ।