Onn 3

ସବୁ ଛକ ହେବ ‘ଗ୍ରୀନ୍‌‌ କରିଡର୍‌‌’, ଅଟକିବନି ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି

State

amb

ଭୁବନେଶ୍ୱର: ଏଣିକି ଟ୍ରାଫିକରେ ଅଟକିବନି ଗାଡ଼ି। ଗୋଟିଏ ଟ୍ରାଫିକ ଛକରୁ ଆଉ ଗୋଟିଏ ଟ୍ରାଫିକ ଛକରେ ପହଞ୍ଚିବା ବେଳକୁ ସେଇ ଛକରେ ଜଳିବ ସବୁଜବତି (ଗ୍ରୀନ୍‌‌ ସିଗ୍‌‌ନାଲ୍‌‌)। ଫଳରେ ଗାଡ଼ିଚାଳକ କୌଣସି ଛକରେ ଅଟକିବେ ନାହିଁ। ଏହାଦ୍ୱାରା ଲୋକଙ୍କ ବହୁମୂଲ୍ୟ ସମୟ ବଞ୍ଚିବା ସହ ରାସ୍ତାରେ କେବଳ ସାଧାରଣଲୋକ ଉପକୃତ ହେବେ ନାହିଁ ବରଂ ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକ ଖୁବ୍‌‌ କମ୍‌‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଭୁବନେଶ୍ୱର ଟ୍ରାଫିକ୍‌‌ ପରିଚାଳନାରେ ସଂସ୍କାର ଆଣିବାକୁ ମେଟ୍ରୋସିଟି ଢାଞ୍ଚା ଆପଣାଇଛି ଭୁବନେଶ୍ୱର ଟ୍ରାଫିକ୍‌‌ ପୁଲିସ। ପ୍ରତ୍ୟେକ ଛକକୁ ଗ୍ରୀନ୍‌‌ କରିଡର୍‌‌ କରାଯିବା ଲକ୍ଷ୍ୟକୁ ଏହି ନୂଆ ବ୍ୟବସ୍ଥା ବଳ ଯୋଗାଇଛି।

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଉଥିବା ଦୁଇଟି ଟ୍ରାଫିକ୍‌‌ ଥାନାକୁ ୧୩ ସେକ୍ଟରରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌‌ ଥାନା-୧କୁ ୭ଟି ଓ ଟ୍ରାଫିକ ଥାନା-୨କୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ସବ୍‌‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ୍‌‌ ସବ୍‌‌-ଇନ୍ସପେକ୍ଟରଙ୍କୁ ସେକ୍ଟର ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଜଣେ ଏସ୍‌‌ଆଇଙ୍କ ଅଧୀନରେ ୩ଜଣ କନଷ୍ଟେବଳ କାମ କରିବେ। ଦାୟିତ୍ୱ ଦିଆଯାଇଥିବା ଏସ୍‌‌ଆଇ ଓ ଏଏସ୍‌‌ଆଇମାନେ ନିୟୋଜିତ କନଷ୍ଟେବଳଙ୍କୁ ଧରି ନିଜ ନିଜ ସେକ୍ଟରରେ ଟ୍ରାଫିକ୍‌‌ ପରିଚାଳନାକୁ ଗୁରୁତ୍ୱ ଦେବେ। ଏଥିସହ ଗୋଟିଏ ଛକରୁ ଅନ୍ୟ ଟ୍ରାଫିକ୍‌‌ ଛକକୁ ଯିବାରେ କେତେ ସମୟ ଲାଗୁଛି, ସେ ନେଇ ତଦାରଖ କରିବେ। ଟ୍ରାଫିକ୍‌‌ ପରିଚାଳନାରେ କ’ଣ ସବୁ ସମସ୍ୟା ଦେଖାଯାଉଛି, ତା’ର ସାମାଧାନ ଦିଗରେ କି ପଦକ୍ଷେପ ନିଆଯାଇପାରିବ, ସେ ବିଷୟରେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅବଗତ କରାଇବେ। ଏସବୁ ବାଦ୍‌‌ ଟ୍ରାଫିକ୍‌‌ ବ୍ୟବସ୍ଥାରେ କେଉଁ ସବୁ ନୂଆନୂଆ ପଦକ୍ଷେପ ନିଆଗଲେ ପୂରା ଟ୍ରାଫିକ୍‌‌ ବ୍ୟବସ୍ଥାରେ ସଂସ୍କାର ଆସିପାରିବ, ସେନେଇ ସେକ୍ଟର ଅଧିକାରୀମାନେ ପ୍ରସ୍ତାବ ଦେବେ। ଏଥିସହ କାଗଜପତ୍ର ଅନୁଯାୟୀ ରାସ୍ତାର ଚଉଡ଼ା ରହିଛି କି ନାହିଁ ତାକୁ ମଧ୍ୟ ସେମାନେ ଅନୁଧ୍ୟାନ କରିବେ। ସେହିଭଳି ରାସ୍ତାରେ ବେଆଇନ୍‌‌ ଜବରଦଖଲ ହଟାଇବା ଓ ଏନ୍‌‌ଫୋର୍ସମେଣ୍ଟକୁ ଜୋର୍‌‌ଦାର କରିବାକୁ ସମ୍ପୃକ୍ତ ସେକ୍ଟର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ପୂର୍ବରୁ ନିଜ ନିଜ ଥାନା ଅଞ୍ଚଳରେ ଟ୍ରାଫିକ୍‌‌ ପରିଚାଳନା ଠିକ୍‌‌ ଭାବେ ଚାଲିଛି କି ନାହିଁ, ସେବିଷୟରେ ଟ୍ରାଫିକ ଥାନା ଅଧିକାରୀ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ। କିନ୍ତୁ ସେକ୍ଟର ଗଠନ ହେବା ପରେ ଟ୍ରାଫିକ୍‌‌ ଥାନା ଅଧିକାରୀମାନେ ସେକ୍ଟର ଅଧିକାରୀଙ୍କୁ ଯୋଗାଯୋଗ କରି ଟ୍ରାଫିକ୍‌‌ ପରିଚାଳନା କ୍ଷେତ୍ରରେ ସଂଯୋଜନା ରକ୍ଷା କରିବେ। ନିଜ ନିଜ ସେକ୍ଟରରେ ଟ୍ରାଫିକ ପରିଚାଳନାଗତ ତ୍ରୁଟି ଲାଗି ସେକ୍ଟର ଅଧିକାରୀମାନେ ମଧ୍ୟ ଦାୟୀ ରହିବେ। ୩୦ଦିନ ଲାଗି ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାକୁ ସହରରେ କାର୍ଯ୍ୟକାରୀ କରାଯାଇଛି। ପରୀକ୍ଷାମୂଳକ କାର୍ଯ୍ୟକାରୀ ପରେ ସେକ୍ଟର ଅଧିକାରୀଙ୍କ ଠାରୁ ଟ୍ରାଫିକ ପରିଚାଳନାରେ ସମସ୍ୟା, ସମାଧାନ ଓ ସଂସ୍କାର ଲାଗି ପ୍ରସ୍ତାବ ଗ୍ରହଣ କରାଯିବ। ତାହା ଉପରେ ବିଚାରବିମର୍ଷ କରାଯାଇ ପଦକ୍ଷେପ ନିଆଯିବ। ଏହି ନୂଆ ବ୍ୟବସ୍ଥା ସଫଳ ରୂପାୟନ ହେବା ପରେ ଏହାକୁ ସ୍ଥାୟୀଭାବେ କାର୍ଯ୍ୟକାରୀ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ନିକଟରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପର ଶିଳ୍ୟାନାସ ହେବା ପରେ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ। ଏହାଦ୍ୱାରା ଅନ୍ୟ ମେଟ୍ରୋସିଟି ଭଳି ଭୁବନେଶ୍ୱରର ଟ୍ରାଫିକ୍‌‌ ପରିଚାଳନାରେ ଆସିବ ବିରାଟ ପରିବର୍ତ୍ତନ। ସହରରେ ଗାଡ଼ି ଚଳାଚଳ ବଢ଼଼ିବାରୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହାକୁ ଦୂରକରିବା ଲାଗି ଦିଲ୍ଲୀ ଢାଞ୍ଚା ଆପଣାଇଛି ଭୁବନେଶ୍ୱର ଟ୍ରାଫିକ ପୁଲିସ। ଏହାଦ୍ୱାରା ଟ୍ରାଫିକ୍‌‌ ପରିଚାଳନାରେ ସୁଧାର ଆସିବା ସହ ଲୋକଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।