Img 20240527 Wa0292

ଜୁନ ୧ରେ ଜିଲ୍ଲାରେ ହେବାକୁ ଥିବା ମତଦାନ ପାଇଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷିକାଙ୍କ ଯୁଗ୍ମ ଗଣମାଧ୍ୟମ ବୈଠକ ଅନୁଷ୍ଠିତ

State

ବାରିପଦା: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଜୁନ ୧ ତାରିଖ ଦିନ ହେବାକୁଥିବା ମତଦାନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଗତ ୨୫.୦୭.୨୦୨୪ ତାରିଖରେ ଅନୁଷ୍ଠିତ ହୋଇଥବା ଏବଂ ଆଗାମୀ ୦୧.୦୫.୨୦୨୪ ତାରିଖରେ ହେବାକୁ ଥିବା ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବିଷୟରେ ଗଣମାଧ୍ୟମକୁ ସବିଶେଷ ବିବରଣୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଥିଲେଯେ କରଞ୍ଜିଆରେ ହୋଇଥିବା ମତଦାନରେ ଆଶାନୁରୂପ ଫଳ ମିଳିପାରିଛି; ଭୋଟ ହାର ୭୪.୯୪% ରହିଥିବା ବେଳେ ୧୭ଟି PVTG ବୁଥ ମାନଙ୍କରେ ୯୮% ଭୋଟ ହାର ହୋଇଛି । ସେଠାରେ ୬୭୦ ଜଣ ଭୋଟର ମାନଙ୍କ ମଧ୍ୟରୁ ୬୫୫ ଜଣ ମତଦାନ କରିଥିବା ଏବଂ ଏହା ଏକ ଅନନ୍ୟ ସଫଳତା ବୋଲି ଜିଲ୍ଲାପାଳ କହିଛନ୍ତି। ସୂଚନା ଥାଉକି, ଆଗାମୀ ୦୧.୦୬.୨୦୨୪ ତାରିଖରେ ଜିଲ୍ଲାରେ ୨୧୨୭ ଟି ଏବଂ ଗୋଟିଏ ସହାୟକକାରୀ ବୁଥ ପ୍ରସ୍ତୁତ ଅଛି। ଆସନ୍ତା ୦୧.୦୬.୨୦୨୪ ତାରିଖରେ ୮ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ ଜଣ ପ୍ରାର୍ଥୀ ଥିବା ବେଳେ, ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୧୩ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସର୍ବମୋଟ ୧୭୪୨୬୭୪ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ, ସେଥି ମଧ୍ୟରୁ ୮୬୩୪୧୯ ପୁରୁଷ, ୮୭୯୧୭୫ ମହିଳା, ଏବଂ ୮୦ ଜଣ ସମଲିଙ୍ଗୀ ଭୋଟର ଅଛନ୍ତି।

ସମୁଦାୟ ଜିଲ୍ଲାରେ ୧୫୧ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ସେଥି ମଧ୍ୟରୁ ୧୪୩ଟି ପୋଲିଂ ଷ୍ଟେସନରେ ସିଧାସଳଖ ୱେବକାଷ୍ଟିଙ୍ଗ ହେବାର ବ୍ୟବସ୍ଥା କରା ଯାଇଛି। ସମସ୍ତ ବୁଥରେ ଆଇନ ଶୃଙ୍ଖଳା ଏବଂ ଉତ୍ତମ ବନ୍ଦୋବସ୍ତ ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛନ୍ତି। ପ୍ରକାଶ ଥାଉକି, ମତଦାନ କେନ୍ଦ୍ର ମାନଙ୍କ ମଧ୍ୟରୁ ୪୨୬ଟି ସଖୀ ବୁଥ, ୬୨୪ଟି ମିଳିତ ବୁଥ, ୯ଟି ଭିନ୍ନକ୍ଷମ ମାନଙ୍କପାଇଁ ଉଦ୍ଦିଷ୍ଟ ବୁଥ, ଏବଂ ୮୦ଟି ଯୁବ ବୁଥ ପ୍ରସ୍ତୁତ କରା ଯାଇଛି। ବିଧାନସଭା କ୍ଷେତ୍ର ପାଇଁ ପୋଷ୍ଟାଲ ବାଲଟରେ ୬୯୮ ଟି ଭୋଟ ଗ୍ରହଣ ହୋଇଥିବା ବେଳେ, ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୬୦୩ଟି ପୋଷ୍ଟାଲ ବାଲଟ ଗ୍ରହଣ କରାଯାଇଛି । ସମଗ୍ର ଜିଲ୍ଲାରେ ନିର୍ବାଚନ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ବେଳେ ୫୪ ଟି ଫ୍ଲିଙ୍ଗ ସ୍କ୍ୱାର୍ଡ, ୫୪ଟି ଷ୍ଟାଟିକ୍ ସର୍ଭିଲେନ୍ସ ଟିମ ଏବଂ ୧୮ଟି ଭିଡ଼ିଓ ସର୍ଭିଲେନ୍ସ ଟିମ ଏହାର ଉପାଦେୟତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟରତ ଅଛନ୍ତି। ସମସ୍ତ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କ ପାଇଁ ଏବଂ ସମସ୍ତ ପୋଲିଂ ଅଧିକାରୀ ମାନଙ୍କ ପାଇଁ ରହିବା, ପାନୀୟ ଏବଂ ଖରାରୁ ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ବୈଠକରେ ଗଣମାଧ୍ୟମକୁ ବାର୍ତା ଦେବାକୁ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ କହିଥିଲେ ଯେ ଆଗାମୀ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୬୯ଟି ମୋବାଇଲ ପାର୍ଟି, ୦୫ଟି ଇଭିଏମ ଷ୍ଟ୍ରଙ୍ଗ ରୁମ, ପୋଲିସ ପକ୍ଷରୁ କରା ଯାଇଥିବା ବେଳେ, ୧୦ଟି ଆନ୍ତଃ ରାଜ୍ୟ ଚେକ ପୋଷ୍ଟ, ୭ଟି ଅନ୍ତଃ ଜିଲ୍ଲା ଚେକ ପୋଷ୍ଟ , ୮ଟି ମୋବାଇଲ ଚେକ ପୋଷ୍ଟ ଏବଂ ୦୯ଟି ଷ୍ଟାଟିକ୍ ଚେକ ପୋଷ୍ଟ ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାରେ ଆଗାମୀ ଜୁନ ୧ ତାରିଖରେ ନିର୍ବାଚନ ସମ୍ପୂର୍ଣ ଶାନ୍ତି ଶୃଙ୍ଖଳାରେ ହେବ ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ନିଷ୍ଠା ସହିତ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଏହି ବୈଠକର ସଂଯୋଜନା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର କରିଥିବା ବେଳେ, ଡେପୁଟି କଲେକ୍ଟର (ନିର୍ବାଚନ) ଦୁର୍ଗାଚରଣ ମୁର୍ମୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି , ସହକାରୀ ଜିଲ୍ଲାପାଳ ଶ୍ରୀ ଶ୍ରୀକାନ୍ତ ନାଏକ ଉପସ୍ଥିତ ଥିଲେ l