Onn 3

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାରେ ସ୍ବତନ୍ତ୍ର ସଚେତନତା ରାଲି ଅନୁଷ୍ଠିତ

State

ଦିବ୍ୟାଙ୍ଗ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ସମାଜର ଉନ୍ନତିରେ ସହାୟକ: ଜିଲ୍ଲାପାଳ

ବାରିପଦା: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୩ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ଲକ୍ଷ୍ମୀପୋଷି ସ୍ଥିତ ସ୍ବତନ୍ତ୍ର (ଦୃଷ୍ଟିହୀନ ଓ ବଧିର) ବିଦ୍ୟାଳୟ ସମ୍ମୁଖରୁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହା ଲକ୍ଷ୍ମୀପୋଷି ଛକ ପର୍ଯ୍ୟନ୍ତ ପରିକ୍ରମା କରିବାପରେ ସ୍ବତନ୍ତ୍ର ବିଦ୍ୟାଳୟ କ୍ରୀଡା ପ୍ରଙ୍ଗଣକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଇତ୍ୟବସରରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ଏକ ମଶାଲ ଧରି ପଡିଆର ଚତୁର୍ପାର୍ଶ୍ୱ ପରିକ୍ରମା କରିଥିଲେ। ପରବର୍ତୀ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ଏବଂ ଜିଲ୍ଲାର ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କର କ୍ରୀଡା ଶିକ୍ଷକ ମାନଙ୍କ ଦ୍ଵାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ଆୟୋଜନ ଓ ପରିଚାଳନା ହୋଇଥିଲା। ଏହି ଦିବସ ପାଳନ ପୂର୍ବରୁ ବିଭିନ୍ନ କଳାତ୍ମକ ପ୍ରତିଯୋଗିତା ଯଥା ରଚନା ଲିଖନ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ୧୧ ଘଟିକା ସମୟ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଙ୍କ ପୋରହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଙ୍କ ସମେତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୂପଭାନୁ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଭିନ୍ନକ୍ଷମ ସଶକ୍ତିକରଣ ଉପଲକ୍ଷେ ନିଜର ମତାମତ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଭିନ୍ନକ୍ଷମ ମାନେ କିପରି ନିଜର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ରାଜ୍ୟ ତଥା ଦେଶ ବାହାରେ କରି ପାରିବେ ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚାରିଗୋଟି ଦିବ୍ୟଙ୍ଗ ଦମ୍ପତ୍ତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ। ଏହା ବ୍ୟତୀତ ଭିନ୍ନକ୍ଷମ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ ପ୍ରଦର୍ଶନୀ ହୋଇଥିଲା। ପରିଶେଷରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଓ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନା କରିଥିବାର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।