Onn 3

ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ: ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

State

ଗଜପତି: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସାରା ଓଡିଶା  । କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି  । ଗଜପତି ଜିଲ୍ଲାରେ ବି ବର୍ଷା ଜାରି ରହିଛି  ।  ଫଳରେ ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି ।

ପ୍ରାୟ ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ଲାଗି ରହିଛି। ଆଜି ସକାଳୁ ବି ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିଲା  । ଫଳରେ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ରାସ୍ତାରେ ପଡ଼ିଥିଲା ।

କୁଜାସିଂ ଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ୩ ଟି ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭରଶୀଳ ଥିବାବେଳେ ରାସ୍ତା ଅବରୋଧ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି  । ଗୁମ୍ମା ବ୍ଳକର କିଛି ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ପଥର ହଟାଇ ଯାତାୟାତ ସ୍ବାଭାବିକ କରୁଥିବା ସୂଚନା ମିଳିଛି।