Onn 3

ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

Politics State

ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ ବର୍ଷ ହେବ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି ରାଜ୍ୟ ସରକାର । କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ମଧ୍ୟ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମେ’ ୫ରୁ ଜୁନ୍ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ବର୍ଷ ବିଜୁ ଛାତ୍ର ଜନତା ଦଳ ୯୫% କ୍ୟାମ୍ପସରେ ବିଜୟ ହୋଇଥିଲା । ଏହା ପରଠୁ ଅର୍ଥାତ୍ ୨୦୧୮ ମସିହାରୁ ସମସ୍ତ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ନିର୍ବାଚନ ହେଲେ ପାଠପଢ଼ା ବନ୍ଦ ରହୁଥିବା ବେଳେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିସହ ହିଂସାକାଣ୍ଡ ବି ବଢ଼ୁଛି। ସେଥିପାଇଁ ରାଜ୍ୟ ସରକାର ନିର୍ବାଚନ ବନ୍ଦ ନେଇ ଗତ ୬ ବର୍ଷ ହେବ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ।