Onn 3

୧୮ ବର୍ଷ ପରେବି ସମ୍ପୂର୍ଣ୍ଣ ହୋଇ ପାରୁନି ଗୃହ ନିର୍ମାଣ, ଅଧପନ୍ତରିଆ ଅଙ୍ଗନୱାଡ଼ି ଗୃହକୁ ନେଇ ଚିନ୍ତାରେ ଅଭିଭାବକ

State

ଆଗରପଡ଼ା,ତା୨୪/୭(ପିଏନଏସ):ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ୨୨ବର୍ଷ ପୁରିବା ସହ ଗୃହ ନିର୍ମାଣକୁ ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ସରକାରଙ୍କ ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଉଦ୍ଧିଷ୍ଟ ଯୋଜନାର ସଫଳ ରୁପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଗ୍ରାମରେ । ବନ୍ତ ବ୍ଲକର ୨୫ ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି । ତନ୍ମଧ୍ୟରୁ କାଦବରାଙ୍ଗ ସେକ୍ଟର ଅନ୍ୟତମ । ଉକ୍ତ ସେକ୍ଟର କାଦବରାଙ୍ଗ, ଓଡ଼ଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତକୁ ନେଇ ଗଠିତ । ଏବଂ ଉକ୍ତ ସେକ୍ଟର ଅଧିନରେ ୨୬ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଅନ୍ୟତମ । ଗତ ୨୦୦୦ ମସିହାରେ ଏଠାରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।

ପ୍ରତିଷ୍ଠା ପରଠାରୁ ନିଜସ୍ୱ ଗୃହ ନଥିବାରୁ ବିଭିନ୍ନ ସ୍ଥାନରେ ଏହା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ପ୍ରତିଷ୍ଠାର ୪ବର୍ଷ ପରେ ଅର୍ଥାତ ୨୦୦୪-୦୫ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ୪ଲକ୍ଷ ୫୦ହଜାର ଓ ଅନ୍ୟ ଏକ ଯୋଜନାରେ ୫୦ ହଜାର ଏହିପରି ସମୁଦାୟ ୫ ଲକ୍ଷ ମଂଜୁର ଅର୍ଥରେ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଗୃହ ନିର୍ମାଣକୁ ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଏନେଇ ଭକ୍ତ ଅଙ୍ଗନବାଡ଼ି କର୍ମୀ ମଧୁସ୍ମୀତା ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ସ୍ଥାୟୀ ଗୃହ ନିମନ୍ତେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା କିଛି ସୁଫଳ ପାଇପାରୁନଥିବା ଆମ ପ୍ରତିନିଧିଙ୍କୁ କହିଥିଲେ । ଏଥିରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ଏହି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରୁ ନଥିବା ପରିଲକ୍ଷିତ ହେଉଛି । ସରକାର ଅର୍ଥ ମଂଜୁର କରୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଗୃହ ନିର୍ମାଣ ପାଇଁ କିନ୍ତୁ ଏହି ଅର୍ଥର ସଠିକ ବିନିଯୋଗ ନହୋଇ କେବଳ କାଗଜ କଲମରେ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବାର ଉକ୍ତ କେନ୍ଦ୍ରକୁ ଦେଖିଲେ ଜଣାପଡ଼ିଛି ।

କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ବର୍ତ୍ତମାନ ଜନୈକ ବ୍ୟକ୍ତିଙ୍କ ଦାନ ଗୃହରେ ଏକ କୋଠରୀରେ ଉକ୍ତ କେନ୍ଦ୍ର ଚାଲିଛି । ଉକ୍ତ ଗୃହରେ କେନ୍ଦ୍ରର ଅନ୍ୟ କାର୍ଯ୍ୟସହ ରୋଷେଇ କାର୍ଯ୍ୟ ମଧ୍ୟ ସଂପାଦନା ହେଉଛି । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଅର୍ଥ ମଂଜୁର ହେଉଛି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷଚ୍ୟୁତ ହେବାକୁ ଯାଉଥିବାର ଅଭିଯୋଗ ହେଉଛି । ଏଠାରେ ଦେଖା ଦେଇଥିବା ଏହି ପରି ଅବ୍ୟବସ୍ଥା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।