Onn 3

ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍‌‌ ୟୁନିଟ୍‌‌

State

ଭୁବନେଶ୍ବର : ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି। ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‌‌। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି । ଏହି ସ୍କ୍ରାପ୍‌‌ ୟୁନିଟ୍‌‌ରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ପୁରୁଣା ସରକାରୀ ଗାଡିଗୁଡିକର ସ୍କ୍ରାପିଂ ଆରମ୍ଭ ହୋଇଛି। ଏହାପରେ ଅନ୍ୟ ପୁରୁଣା ଗାଡି ଗୁଡିକର ସ୍କ୍ରାପିଂ କରାଯିବ ବୋଲି ଜଣାପଡିଛି।

ଖୋର୍ଦ୍ଧାଠାରେ ରାଜ୍ୟର ପ୍ରଥମ ସ୍କ୍ରାପ୍‌‌ ୟୁନିଟ୍‌‌ ଖୋଲିବା ସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟଭାବେ ସ୍କ୍ରାପ୍‌‌ ନୀତି କାର୍ଯ୍ୟକାରୀ କରିଛି। ଖୋର୍ଦ୍ଧା ପରେ ଯାଜପୁର ଠାରେ ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍‌‌ ଖୋଲିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଟାଟା କମ୍ପାନୀ ସୁନ୍ଦରଗଡ଼ ଠାରେ ଏକ ସ୍କ୍ରାପ୍‌‌ ୟୁନିଟ୍‌‌ ସ୍ଥାପନ ପାଇଁ ସରକାରୀ ସ୍ତରରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ପୁଲିସ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ୍‌‌ ପାଇଁ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଏହା ପରେ ତାଲିକା ଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ। ଖୋର୍ଦ୍ଧା ପିତାପଲ୍ଲୀ ସ୍କ୍ରାପ୍‌‌ ୟୁନିଟ୍‌‌ରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବ। ୧୫ ବର୍ଷରୁ ଅଧିକ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ ଆରମ୍ଭ ହେବ।  ପରିବେଶ ପ୍ରଦୂଷଣ ଦୂର କରିବା, ରାସ୍ତାକୁ କ୍ଷତିରୁ ରକ୍ଷା କରିବା, ଗାଡ଼ିର ଇନ୍ଧନ ଦକ୍ଷତା ବୃଦ୍ଧି କରିବା ଭଳି ୭ଟି ଲକ୍ଷ୍ୟ ନେଇ ଗାଡ଼ି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏ ନେଇ ପରିବହନ ବିଭାଗ ପକ୍ଷରୁ ଗାଡ଼ି ସ୍କ୍ରାପିଂ ନୀତି ପ୍ରଣୟନ କରାଯାଇଛି। ଗାଡ଼ି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ତାହାର ଅନୁପାଳନ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ସ୍କ୍ରାପିଂ ଆରମ୍ଭ ପାଇଁ ବିଭାଗ ଲକ୍ଷ୍ୟ ରଖିଥିଲା। ତେବେ ଅନୁମତି ହାସଲରେ ବିଳମ୍ବ ହେତୁ ଧାର୍ଯ୍ୟ ସମୟ ଭିତରେ ସ୍କ୍ରାପିଂ ୟୁନିଟ୍‌‌ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ବୋଲି କୁହାଯାଇଛି।

ଗାଡ଼ି ସ୍କ୍ରାପିଂ ୟିୁନିଟ୍‌‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ନୀତିରେ ସମ୍ପୃକ୍ତ କମ୍ପାନୀଙ୍କୁ ଟିକସ ରିହାତି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ଗାଡ଼ି ସ୍କ୍ରାପିଂ ବ୍ୟବସ୍ଥା ନୀତି-୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ସ୍କ୍ରାପ୍‌‌ ନୀତି ଅନୁସାରେ ସ୍କ୍ରାପ୍‌‌ ପାଇଁ ଆସୁଥିବା ସରକାରୀ ଗାଡ଼ି ଉପରେ ୧୫% ଏବଂ ଘରୋଇ ଗାଡ଼ି ଉପରେ ୨୫% ଟିକସ ରିହାତି ମିଳିବ। ସେହିପରି ସ୍କ୍ରାପ୍‌‌ ହେଉଥିବା ସରକାରୀ ଓ ବାଣିଜ୍ୟିକ ଗାଡ଼ି ଉପରେ ସର୍ବନିମ୍ନ ୬% ମୂଲ୍ୟ ମାଲିକଙ୍କୁ ଦିଆଯିବ। ଗାଡ଼ି ମାଲିକ ସେଠାରୁ ନିଜ ଗାଡ଼ିର ସ୍କ୍ରାପ୍‌‌ ପ୍ରମାଣପତ୍ର ନେଇ ଗାଡ଼ି ସୋରୁମ୍‌‌ରେ ଦେଖାଇଲେ ନୂଆ ଗାଡ଼ି ଉପରେ ରିହାତି ମିଳିବ। ବିଦେଶରେ ବହୁ ପୂର୍ବରୁ ସ୍କ୍ରାପିଂ ୟୁନିଟ୍‌‌ ବ୍ୟବସ୍ଥା ପ୍ରଚଳିତ ହୋଇଛି। ତେବେ ଓଡ଼ିଶାରେ ବିଶେଷକରି ଭୁବନେଶ୍ୱରରେ କବାଡ଼ିଆମାନେ ପୁରୁଣା ଗାଡ଼ିର ସ୍କ୍ରାପିଂ କରୁଛନ୍ତି। ସେମାନେ ପାରମ୍ପାରିକ ଭାବେ ହାତୁଡ଼ିରେ ପିଟି ଅବା କଟର୍‌‌ରେ କାଟି ଗାଡ଼ି ସ୍କ୍ରାପିଂ କରୁଛନ୍ତି। ତେବେ ସ୍କ୍ରାପିଂ ୟୁନିଟ୍‌‌ କାର୍ଯ୍ୟକ୍ଷମ ହେବା ପରେ କବାଡ଼ିଆଙ୍କ ହାତକୁ ପୁରୁଣା ଗାଡ଼ି ଯିବା ସମ୍ଭାବନା କମ।