Photo1 For The News Of Kalyan Mandap

୮ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, କଲ୍ୟାଣମଣ୍ଡପ ଜନକଲ୍ୟାଣରେ ଲାଗିବା ନେଇ ପ୍ରଶ୍ନବାଚୀ

State

ଆବଶ୍ୟକ ୩୫ଲକ୍ଷ ମଂଜୁର ହୋଇଛି ୨୦ଲକ୍ଷ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠି୍‌କ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି କଲ୍ୟାଣମଣ୍ଡପ ନିର୍ମାଣରେ ପାଖାପାଖି ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସମପରିମାଣର ଅର୍ଥ ମଂଜୁର ହୋଇପାରୁନଥିବାରୁ ଉକ୍ତ ମଣ୍ଡପ ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । । ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ପରବର୍ତ୍ତି ସମୟରେ ବିଭିନ୍ନ ଯୋଜନାରେ ଆଉ ୧୦ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା ଏହାର ନିର୍ମାଣରେ କିନ୍ତୁ ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୬ବର୍ଷ ପୂରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ରହିଛି । ଏହା ସଂପୂର୍ଣ୍ଣ ହେବାକୁ ଆହୁରି ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୪ବର୍ଷର୍ ପୂରିସାରିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ନିର୍ମାଣକୁ ୩ବର୍ଷ ପୂରିଯିବା ପରେ ମଧ୍ୟ ପ୍ରକଳ୍ପଟି ଗ୍ରେଡ଼ ବିମରେ ଅଟକିରହିଥିଲା ।

ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବାରୁ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ସ୍ଥଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିଥିବା ନେଇ ବାରମ୍ବାର ‘ଓଏନଏନ’ରେ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇଥିଲା । କିନ୍ତୁ ଅର୍ଥାଭାବରୁ ଏହା ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ କାଦବରାଙ୍ଗ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ପରବର୍ତ୍ତି ସମୟରେ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଏହାର ଗୃହ ନିର୍ମାଣ ସଂପୂର୍ଣ୍ଣ କରାଯାଇଥିଲେ ସୁଦ୍ଧା ମଣ୍ଡପଟିର ଫିନିସିଙ୍ଗ୍ କାର୍ଯ୍ୟ ବାକି ଅଛି । ଯାହା ପାଇଁ ପାଖାପାଖି ୫ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୮ବର୍ଷ ପୁରିଯିବା ସହ ୨ଜଣ ସରପଂଚଙ୍କ କାର୍ଯ୍ୟକାଳ ସରିସାରିଥିଲେ ସୁଦ୍ଧା ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରିନାହିଁ କି ଜନକଲ୍ୟାଣରେ ଲାଗି ପାରିନାହିଁ । ତେଣୁ ଅଥାଁଭାବରୁ ଏବଂ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହିପରି ସମସ୍ୟା ଉପୁଜିଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ପଂଚାୟତରେ ନିର୍ମିତ ଅଧପନ୍ତରିଆ କଲ୍ୟାଣ ମଣ୍ଡପ କେବେ ଜନକଲ୍ୟାଣରେ ଲାଗିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ପଂଚାୟତର କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକଥିବା ଅର୍ଥ ପାଇଁ ସୁପାରିସ କରାଯାଇଛି । ଅର୍ଥ ମଂଜୁର ହେଲେ ଏହାର ନିର୍ମାଣ କାର୍ଯ୍ୟରେ ତ୍ୱରାନ୍ନିତ ଆସିବ ବୋଲି ପ୍ରକାଶ କରିଥିଲେ । ତେଣୁ ଉକ୍ତ ପ୍ରକଳ୍ପର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ନୂତନ ସରକାର ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।