ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି ଟେସଲାର ସିଇଓ ଏଲନ୍ ମସ୍କ । ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ୍ ଗଣତି କରିଥିବାରୁ ଏହାକୁ ମସ୍କ ପ୍ରଶଂସା କରିଛନ୍ତି । ଯେତେବେଳେ କି, ଆମେରିକୀୟ ରାଜ୍ୟରେ ଭୋଟ୍ ଗଣନାର ମନ୍ଥର ପ୍ରକ୍ରିୟାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।
ଭାରତରେ ପ୍ରାୟ ୬୪୦ ମିଲିୟନ ଭୋଟ୍ ଗଣନାକୁ ପ୍ରଶଂସା କରିବାକୁ ଯାଇ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନର ମତଗଣନାକୁ କଟାକ୍ଷ କରିଛନ୍ତି ।
ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନର ମତ ଗଣନା ଶେଷ ହେବାର ଗୋଟିଏ ଦିନ ପରେ ଏଲନ୍ ମସ୍କ ଏମିତି ଟିପ୍ପଣୀ କରିଛନ୍ତି । ସେ ଭାରତୀୟ ନିର୍ବାଚନ ମତଗଣନା ଉପରେ ଏକ ସ୍କ୍ରିନଶର୍ଟ ସେୟାର କରି ‘ଏକ୍ସ’ରେ ଲେଖିଛନ୍ତି କି, ‘ଭାରତ ଗୋଟିଏ ଦିନରେ ୬୪୦ ମିଲିୟନ ଭୋଟ୍ ଗଣତି କରିଛି । କାଲିଫର୍ନିଆ ଏବେ ବି ଗଣନା କରୁଛି’ ।
ଟେକ୍ ଅରବପତି ଏମିତି ଏକ ସମୟରେ ଏହି ପୋଷ୍ଟ କରିଛନ୍ତି, ଯେତେବେଳେ କି, କାଲିଫର୍ନିଆରେ ଏବେ ବି ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣନା ଚାଲିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଆନୁମାନିକ ୫୭୦,୫୦୦ ବାଲାଟ ପେପରର ଗଣନା ବାକି ଅଛି ।
ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୨୩ରେ ଭୋଟ୍ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇଥିଲା ।
କହି ରଖୁଛୁ, ଆମେରିକାର ସବୁଠାରୁ ଜନବହୁଳ ରାଜ୍ୟ ହେଉଛି କାଲିଫର୍ନିଆ । ଏହାର ଜନସଂଖ୍ୟା ପାଖାପାଖି ୩୯ ମିଲିୟନ । ରାଜ୍ୟରେ ସାଧାରଣତଃ ମେଲ୍ ଦ୍ୱାରା ନିର୍ବାଚନ ହୋଇଥାଏ । ବ୍ୟକ୍ତିଗତ ଭାବରେ ଦିଆଯାଇଥିବା ଭୋଟ୍ ତୁଳନାରେ ମେଲ-ଇନ୍ ବାଲାଟ୍ ଯାଞ୍ଚ କରିବାକୁ ଅଧିକ ସମୟ ଲାଗେ । ପାଖାପାଖି ୧୬ ନିୟୁତ ଭୋଟର ଥିବା ଏହି ରାଜ୍ୟରେ ଏ ପର୍ଯ୍ୟନ୍ତ ବାଲାଟ୍ ଗଣନା ଶେଷ ହୋଇନାହିଁ । ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।