Onn 3

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

State

ବାରିପଦା: ସାରା ରାଜ୍ୟ ରେ ୩୦ ଅକ୍ଟୋବର ୨୦୨୩ ଠାରୁ ୦୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଦୁର୍ନୀତି ନିବାରଣ ପାଇଁ ସଚେତନତା ସୃଷ୍ଟି ଉଦେଶ୍ୟ ରେ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |

ଜିଲ୍ଲlପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ର ରେ ଜ଼ିଲ୍ଲାପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଦୁର୍ନୀତି ନିବାରଣ ଡିଭିଜନ ର ଆରକ୍ଷୀ ଅଧିକ୍ଷକ ଶ୍ରୀ ନରହରି ନାୟକ ଯୋଗ ଦେଇଥିଲେ |

ଭିଜିଲାସନ୍ସ ଏସ ପି  ଶ୍ରୀ ନାୟକ ତାଙ୍କ ବକ୍ତବ୍ୟ ରେ ବର୍ତ୍ତମାନ ପରିସ୍ଥିତି ରେ ଦୁର୍ନୀତି କିପରି ସବୁ କ୍ଷେତ୍ର କୁ ପରିବ୍ୟାପ୍ତ ହୋଇଯାଇଛି ସେବିଷୟ ରେ ଆଲୋକପାତ କରିଥିଲେ ଏବଂ ଏହାକୁ ରୋକିବା ପାଇଁ ସମାଜ ର ପ୍ରତ୍ୟେକ ବର୍ଗ ର ଲୋକମାନେ ସଚେତନ ହୋଇ ଏହାକୁ ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ |ଏଥି ସହିତ ଭିଜିଲାସନ୍ସ ବିଭାଗ ର ଚଳିତ ବର୍ଷ ର କାର୍ଯ୍ୟ ଧାରା ସମ୍ଭନ୍ଧ ରେ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ |

ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଦୁର୍ନୀତି ରୋକିବା ରେ ବିଶେଷ କରି ଯୁବ ପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱ ପୂର୍ଣ୍ଣ ଓ ସେମାନେ ଏଥି ପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଅlଜିରୁ ଚେଷ୍ଟିତ ହେବା ଆବଶ୍ୟକ ଏବଂ ସାଧୁତାର ସହ କାର୍ଯ୍ୟ କରି ସେଥିରୁ ଯେଉଁ ଶାନ୍ତି ମିଳିଥାଏ ସେହି ଶାନ୍ତି ଅନ୍ୟ କୌଣସି ଜିନିଷ ରୁ ମିଳିନଥାଏ ବୋଲି ସ୍ପଷ୍ଠକ୍ତି କରିଥିଲେ |ତେଣୁ ସାଧୁତା ହେଉଛି ଜୀବନ ର ସର୍ବ ଶ୍ରେଷ୍ଠ ଗୁଣ ଏବଂ ଯୁବ ପିଢ଼ି ଙ୍କ ଭିତରେ ଯଦି ଏହି ଗୁଣ ଟି ରହିବ ତେବେ ଆମ ଦେଶ ଭବିଷ୍ୟତ ରେ ନିଶ୍ଚିତ ଏକ ବିକଶିତ ରାଷ୍ଟ୍ର ହୋଇପାରିବ |

ସେହିପରି ମୁଖ୍ୟଅତିଥି ଶ୍ରୀମତୀ ଭାରତୀ ହାଁସଦା ତା’ଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ଯେ ଦୁର୍ନୀତି ର ମୁଖ୍ୟ କାରଣ ହେଉଛି ଲୋଭ |ଯଦି ଆମେ ଆମ ଆବଶ୍ୟକତା କୁ ଆମ ଉପାର୍ଜନ ଭିତରେ ପରିଚାଳନା କରିବା ତେବେ ଦୁର୍ନୀତି ଠାରୁ ଦୁରେଇ ଯିବା ମାତ୍ର ତା ନକରି ଯଦି ଆମର ଆୟ ତୁଳନା ରେ ଆବଶ୍ୟକତା କୁ ବଢ଼େଇ ଚାଲିବା ତେବେ ଦିନେ ନା ଦିନେ ଦୁର୍ନୀତି ଆମକୁ ଗ୍ରାସ କରିବ | ଖାଲି ଯେ ସରକାରୀ କର୍ମଚାରୀ ମାନେ ଦୁର୍ନୀତି କରୁଛନ୍ତି ତା ନୁହେଁ, ସମାଜରେ ପ୍ରତ୍ୟେକ କ୍ଷେତ୍ର ର କିଛି କିଛି ଲୋକ ସ୍ଥଳ ବିଶେଷ ରେ ଦୁର୍ନୀତି ରେ ଲିପ୍ତ | ଏହା ଏକ ବ୍ୟକ୍ତିଗତ ମାନସିକତା |ତେଣୁ ଏଥିରୁ ମୁକ୍ତି ପାଇଁ ସାଧୁତା ହିଁ ଏକ ମାତ୍ର ଅସ୍ତ୍ର | ନିଜ ଭିତରେ ସାଧୁତାଭାବ କୁ ଜାଗ୍ରତ ରଖିଲେ ଦୁର୍ନୀତି ରୂପକ ବ୍ୟାଧି ରୁ ମୁକ୍ତ ହେବା ସହ ଏକ ସୁସ୍ଥ ବିକଶିତ ରାଷ୍ଟ୍ର ଗଠନ ପାଇଁ ପଥ ସୁଗମ ହେବ |

ଏହି ଅବସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ବ୍ୟଙ୍ଗ ଚିତ୍ର ଓ ସ୍ଲୋଗାନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ | ଉକ୍ତ ସଭା ରେ ବିଭିନ୍ନ ପଦାଧିକାରୀ, ଶିକ୍ଷାନୁଷ୍ଠାନ ର ମୁଖ୍ୟ, ବରିଷ୍ଠ ନାଗରିକ, ଆଇନଜୀବି, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ |

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

ପରିଶେଷରେ ବାରିପଦା ଭିଜିଲାସନ୍ସ ୟୁନିଟ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରେ କୃଷ୍ଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ |

କାର୍ଯ୍ୟକ୍ରମ ପରିଚାଳନା ରେ ବାରିପଦା ଭିଜିଲାସନ୍ସ ୟୁନିଟ ର କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ