Onn 3

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୧ବର୍ଷ ପୂରିଲା, ଡ଼େପୁଟେସନରେ ବିଶେଷଜ୍ଞ, ରୋଗୀସେବା କରୁଛନ୍ତି ଆୟୁଷ ଡ଼ାକ୍ତର

State

ଆଗରପଡ଼ା :୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୧ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଲାଗିରହିଥିବା ଡ଼ାକ୍ତର ସମସ୍ୟାକୁ ନେଇ ଦୈନିକ ‘ସକାଳ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ଜୁନ ମାସରେ ୨ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏବଂ କିଛି ମାସ ହେବ ତିନି ଜଣ ବିଶେଷଜ୍ଞ ଡ଼ାକ୍ତର ଓ ଦୁଇ ଜଣ ଏମବିବିଏସ ଡ଼ାକ୍ତର କାର୍ଯ୍ୟରତ ଥିଲେ । କିନ୍ତୁ ସୂଚନା ଅନୁଯାୟୀ;ଗତ ୧୧ ତାରିଖରୁ ଶିଶୁ ବିଭାଗ ବିଶେଷଜ୍ଞଙ୍କୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ଡ଼େପୁଟେସନରେ ପଠାଯାଇଥିବା ଜଣାପଡ଼ିଛି । ଯଦ୍ୱାରା ବର୍ତ୍ତମାନ ୨ଜଣ ବିଶେଷଜ୍ଞ ଡ଼ାକ୍ତର ଓ ଦୁଇ ଜଣ ଏମବିବିଏସ ଡ଼ାକ୍ତର କାର୍ଯ୍ୟରତ ଥିବା ବେଳେ ଜଣେ ଏମବିବିଏସ ଡ଼ାକ୍ତର ସ୍ୱାସ୍ଥ୍ୟ କେନ୍ଦ୍ରର ଦାଇତ୍ୱ ନିର୍ବାହ କରୁଛନ୍ତି । ଏହିପରି ସ୍ଥଳେ ଡ଼ାକ୍ତର ସମସ୍ୟା ଯୋଗୁଁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି । ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସେମାନେ ସରକାରୀ ନିୟମର ଖୋଲା ଉଲ୍ଲଘଂନ କରୁଛନ୍ତି । ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟ ଏକ ମାମଲାକୁ ବିଚାର କରି ତା ଉପରେ ରାୟ ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୫ ମସିହା ଜୁନ ମାସ ୨୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସା ଅଧିକାରୀଙ୍କୁ ଆୟୁଷ ଡ଼ାକ୍ତରମାନଙ୍କ ନିମନ୍ତେ କିଛି ନିୟମ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବଂ ନିୟମାନୁୁସାରେ ଯଦି କେହି ଉକ୍ତ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ବିନାସୂଚନାରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବାର ସୂଚନା ମଧ୍ୟ ଦିଆଯାଇଥିଲା ।

ଇତି ମଧ୍ୟରେ ଉକ୍ତ ନିୟମକୁ ୮ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା କେବଳ କାଗଜ କଲମରେ ସୀମିତ ରହିଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିବିଭାଗରେ ପ୍ରତିଦିନ ୪୦୦ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଛନ୍ତି । ଏହିପରି ସ୍ଥଳେ ଡ଼ାକ୍ତର ସମସ୍ୟା ଯୋଗୁଁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି । ସରକାରୀ ନିୟମାନୁସାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ନିଯୁକ୍ତି ପାଇଥିବା ଆୟୁଷ ଡ଼ାକ୍ତର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହୋଇ ଆୟୁର୍ବେଦିକ ମେଡ଼ିସିନକୁ ଅଗ୍ରାଧିକାର ଦେବା କଥା । କିନ୍ତୁ କିଛି ଆୟୁଷ ଡ଼ାକ୍ତର ଆୟୁର୍ବେଦିକ ମେଡ଼ିସିନ ଲେଖିବା ପରିବର୍ତ୍ତେ ଏଲୋପାଥିକ ମେଡ଼ିସିନ ଲେଖୁଥିବାର ଅଭିଯୋଗ ହେଉଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ସମସ୍ୟା ଲାଗି ରହିଥିବାରୁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି ଓ ବହୁ କ୍ଷେତ୍ରରେ ରୋଗୀଙ୍କ ଅନୁରୋଧ ଅନୁଯାୟୀ ଆୟୁର୍ବେଦିକ ମେଡ଼ିସିନ ଲେଖିବା ପରିବର୍ତ୍ତେ ଏଲୋପାଥିକ ମେଡ଼ିସିନ ଲେଖିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀ ରୋଗୀଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଆବଣ୍ୟକୀୟ ଡ଼ାକ୍ତର ନିଯୁକ୍ତି ପାଇଁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ଅର୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ଉନ୍ନତିର କାର୍ଯ୍ୟ ଚାଲିଥିବା ବେଳେ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ସାର ହେବା ସହ ସରକାରଙ୍କ ନିୟମ ମଧ୍ୟ ପାଳନରେ ବାଧା ଉପୁଜିବ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।