Onn 3

ଯୋଜନାକୁ ୩ବର୍ଷ ପୁରିଲା, ପାଠାଗାର ଗୃହ ନିର୍ମାଣ ଅଧପନ୍ତରିଆ

State

ଆଗରପଡ଼ା:କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପଂଚାୟତର ଉନ୍ନତି ପାଇଁ ଚେଷ୍ଟିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତର ପାଠାଗାର ନିମନ୍ତେ ଗୃହ ନିର୍ମାଣ କ୍ଷେତ୍ରରେ । ୨୦୨୦-୨୧ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟତ ସଂସ୍ଥା ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ସିଏଫସି ଯୋଜନାରେ ୪ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପାଠାଗାର ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ୩ବର୍ଷ ପୂରିଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବାର ନା ଧରୁନି ।

ଏହାର ଛାତ ପଡ଼ି ନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । କାର୍ଯ୍ୟାଦେଶ ଆଣିବା ପରେ ଅର୍ଥ ବ୍ୟୟ କରି କୌଣସି ଯୋଜନାର ନିର୍ମାଣକୁ ଲକ୍ଷ୍ୟ ସ୍ଥଳରେ ନପହଂଚାଇ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଉକ୍ତ ସମସ୍ୟାକୁ ନେଇ ତତ୍କାଳୀନ ସରପଂଚ କିଶୋର କିଙ୍କର ପଢିଆରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ପାଠାଗାରର ଛାତ ପଡ଼ିବା ନିମନ୍ତେ ପରବର୍ତ୍ତି ମୁହୁର୍ତ୍ତରେ ୨ଲକ୍ଷ ୫୦ହଜାର ଟଙ୍କା ବିଭାଗ ତରଫରୁ ମଂଜୁର ହୋଇଥିବାର ଆମ ପ୍ରତିନିଧିଙ୍କୁ କହିଥିଲେ । ତେଣୁ ଅର୍ଥ ମଂଜୁର ହୋଇଥିବା ସତ୍ୱେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ କିମ୍ବା ଅଣଦେଖାରୁ ଏହିପରି ସମସ୍ୟା ଉପୁଜିଥିବା ଜଣାପଡ଼ିଛି ।

ବର୍ତ୍ତମାନର ସରପଂଚ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଥିଲେ । ବିଭାଗୀୟ ଅଧିକାରୀ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ଉକ୍ତ ପାଠାଗାର ନିର୍ମାଣରେ ଅଗ୍ରଗତି ଆଣିବା ପାଇଁ ଚେଷ୍ଟିତ ହେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।