ବାରିପଦା: ସ୍ଥାନୀୟ ୧୧ ନଂ ୱାର୍ଡସ୍ଥିତ ଢିପାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରମଣି ମିଶ୍ରଙ୍କ ସଭାପତିତ୍ୱରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବାରିପଦା ଗୋଷ୍ଠୀ ଶିକ୍ଷାଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉତ୍ସବରେ ନହରପଦା କ୍ଲଷ୍ଟରର ସି.ଆର.ସି.ସି. କନକଲତା ମାଝୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷାର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ଅନ୍ତନିର୍ହିତ ପ୍ରତିଭାର ବିକାଶ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଯୋଗିତା ଅଛି ବୋଲି ବର୍ଣ୍ଣନା କରିଥିଲେ । ରାଜ୍ୟ ତଥା ଜାତୀୟ ପୁରସ୍କାର ଲାଭ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷା ହିଁ ଜୀବନର ମୂଳଦୁଆ । ଏହା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଖୋରାକ ଯୋଗାଇଥାଏ ବୋଲି କହିବା ସହିତ ନିଜର ପିତା, ମାତା ଓ ଗୁରୁଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କଲେ ପିଲାମାନେ ନିଜ ଜୀବନକୁ ସାର୍ଥକ କରିପାରିବେ ବୋଲି ଉଲ୍ଲେଖ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିରଣ ସାହୁଙ୍କ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିରୁପମା ବେହେରା, ଶାନ୍ତିଲତା ମହାପାତ୍ର ଓ ପୂର୍ବତନ ପ୍ରଧାନଶିକ୍ଷକ ସରୋଜ ବାସିନୀ ପଟ୍ଟନାୟକ ପ୍ରମୁଖ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପ-ସଭପତି ସେକ୍ ରାଜୁଦ୍ଦିନ, ସଦସ୍ୟ ସୁବ୍ରତ ଦାସ, ପାୟଲ ଦେ, ଲକ୍ଷ୍ମୀ ରାମ, ମନୋଜ କୁମାର ବେହେରା ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
