Crime Spot 1736308759

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

State

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଫଳରେ ରାଜପଥ ଉପରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ରାଜଧାନୀବାସୀ। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ। ଫଳରେ ତାଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ତଳେ ପଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଯୁବକଙ୍କ ବେକ ଓ ଗୋଡ଼ରେ ବି ଗଭୀର ଆଘାତ ଲାଗିଛି।

ଏକ ମୁଣ୍ଡବିହିନୀ ମୃତଦେହ ରାଜପଥରେ ପଡ଼ିଥିବା ଖବର ପାଇ ତୁରନ୍ତ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ପୁଲିସ୍‌ ଘଟଣାସ୍ଥଳରୁ ମୃତଦେହ ଓ ଗାଡ଼ି ଜବତ କରିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନି। ସାଇଣ୍ଟି‘ଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ କିଏ ଓ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା, ଏହା ପଛର କାରଣ କ’ଣ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି।