Defult onn2

କର୍ପୋରେଟର୍‌ଙ୍କ ଭାଇ ଓ ପୁତୁରାକୁ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Crime State

ଭୁବନେଶ୍ବର: କର୍ପୋରେଟର୍‌ ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ପରଠାରୁ ସେ ଫେରାର ଥିଲେ। ଖାଲି ସେତିକି ନୁହେଁ  ପ୍ରଭାତ ମାର୍ଥାଙ୍କର ଅନ୍ୟ ଜଣେ ସହଯୋଗୀକୁ ବି ପୁଲିସ ଗିରଫ କରିଛି।  ଏହି ମାମଲାରେ ଗିରଫ ସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବରୁ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା । ଗିରଫ ପ୍ରଭାତ ଗତ ପୌର ନିର୍ବାଚନରେ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ।

ପ୍ରକାଶ ଥାଉ କି ବୁଧବାର ରାତି ପାଖାପାଖି ୧୧ଟା ସମୟରେ ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍‌ ଗୁଲ ମାର୍ଥାଙ୍କ ଗାଡ଼ି ଓ କର୍ପୋରେଟର ଶ୍ରୀଧରଙ୍କ ବଡ଼ ପୁତୁରା ଦୀପକ ଜେନାଙ୍କ ଗାଡ଼ି ମୁହାଁମୁହିଁ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିମନ୍ଦ ଆରମ୍ଭ ହୋଇଥିଲା। ଖବର ପାଇ ପ୍ରଭାତଙ୍କ ସହଯୋଗୀ ଓ ଦୀପକଙ୍କ ଦାଦା ଶ୍ରୀଧର, ବାପା ଶିଖର ଏବଂ ସାନଭାଇ ଆଲୋକ ସେଠାରେ ପହଞ୍ଚିଥିଲେ। କଥା କଟାକଟିରୁ ସ୍ଥିତି ବିଗିଡ଼ିଥିଲା। ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡ଼ରେ ବାଜିଥିବା ବେଳେ ଆଉ ଏକ ଗୁଳି ଆଲୋକଙ୍କ ଗୋଡ଼ରେ ବାଜିଥିଲା। ସେହିଭଳି ଅନ୍ୟ ଦୁଇଟି ଗୁଳି ଆଉ ଦୁଇ ଜଣଙ୍କ ଗୋଡ଼ରେ ସାମାନ୍ୟ ବାଜି ଖସିଯାଇଥିଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।