- ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି ସ୍ୱାଗତଯୋଗ୍ୟ ଏବଂ ତ୍ୱରାନ୍ୱିତ ହେବା ଆବଶ୍ୟକ: ମନ୍ତ୍ରୀ ଡଃ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର
- ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେଲେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ
ବାରିପଦା: ବାତ୍ୟା “ଦାନା” କ୍ରମଶଃ ଓଡ଼ିଶା ଆଡକୁ ଅଗ୍ରସର ହେଉଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ନେବାର ସମ୍ଭାବନା ରହିଛି। ଏଣୁ ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ତାରିଖ ଏବଂ ୨୫ ତାରିଖ, ଦୁଇ ଦିନ, ପାଣିପାଗ କେନ୍ଦ୍ର, ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଙ୍ଗ ଜାରି କରିଛି। ଏଥି ନିମନ୍ତେ, ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରି ସାରିଛି। ଏହି ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟାକରଣ ବିଷୟରେ ସମୀକ୍ଷା କରିବା ପାଇଁ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ବାରିପଦା ସ୍ଥିତ ଓଶ୍ଵାନ ହଲ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ସମସ୍ତ ଉପଖଣ୍ଡ, ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପ୍ରାରମ୍ଭିକ ସୂଚନା ପ୍ରଦାନ କରିବାକୁ ଯାଇ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେଉଥିବା ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ବିଷୟରେ, ମାନ୍ୟବର ମନ୍ତ୍ରୀଙ୍କୁ ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ଏଥି ନିମନ୍ତେ, ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମ ପଂଚାୟତ ଯଥା ବଡ଼ସାହି, ବେତନଟୀ, ଗୋପବନ୍ଧୁ ନଗର, ମାଣତ୍ରୀ ପଂଚାୟତ, ଖୁଣ୍ଟା, ରାସଗୋବିନ୍ଦପୁର, ସାରସକଣା , କପ୍ତିପଦା, ଉଦଳା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବିତ ବର୍ଷାରେ ବନ୍ୟା ବ୍ଳପିତ ହେବାକୁ ଥିବା ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ପ୍ରଭାବିତ ଜନସାଧାରଣଙ୍କୁ କଚ୍ଚା ଘର ମାନଙ୍କୁ ପକ୍କା ଘର ଗୁଡିକୁ ସ୍ଥାନାନ୍ତର ବ୍ୟବସ୍ଥା କରିବା ସହ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପୁରୁଷ/ମହିଳା ଭାବରେ ବିଭକ୍ତିକରଣ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଥିବା ବେଳେ, ସେଠାରେ ଗରମ ରନ୍ଧା ଖାଦ୍ୟ, ମେଡ଼ିସିନ, ସହିତ ରାତ୍ରିଯାପନ ସମୟରେ ଟେଲିଭିଜନ ପ୍ରସାରଣର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଗାମୀ ୨୪ ଓ ୨୫ ତାରିଖ ଦିନ, ବାଲେଶ୍ୱର ସହିତ ନିକଟ ସଂଯୋଗ କରୁଥିବା ବାରିପଦା ଉପଖଣ୍ଡ ଓ ଉଦଳା ଅଂଚଳ, ସମ୍ଭାବିତ ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ ଏଣୁ ଏହି ସ୍ଥାନ ମାନଙ୍କରେ ୭-୧୧ ସେ.ମି ପର୍ଯ୍ୟନ୍ତ ବର୍ଷ ହେବାର ସମ୍ଭାବନା ଅଛି। ଜିଲ୍ଲା ପ୍ରଶାସନ, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜଳ ବିଭାଜିକା ଯଥା କାଳ, ସୁନେଇ, ଦେଓ, ବାଙ୍କବାଲ, ଜମ୍ବିରା, ଜଳକା ଠାରେ ଜଳସ୍ତର ସାଧାରଣ ଅଛି ଏବଂ ଆବଶ୍ୟକ ସ୍ଥଳେ ବନ୍ୟାଜଳ ନିଷ୍କାସନ କରିବା ପାଇଁ ମଧ୍ୟ ପ୍ରଶାସନ କାର୍ଯ୍ୟ କରୁଛି। ବିଶେଷ କରି ଝାଡ଼ଖଣ୍ଡ ସ୍ଥିତ ସୁବର୍ଣ୍ଣରେଖା ଠାରେ ଅଧିକ ବର୍ଷ ହେଲେ ମୟୂରଭଞ୍ଜ ଜିଲ୍ଲାରେ ଥିବା ଡ୍ୟାମ ମାଧ୍ୟମରେ ଜଳ ନିଷ୍କାସନ କରାଯିବ।
ସୂଚନା ଥାଉକି, ଏହି ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମୁଦାୟ ୨୭୮ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛି ଏବଂ ଏଥି ସହିତ ୧୦ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଅଛି। ୧୯ଟି ଆପଦା ପ୍ରବନ୍ଧନ NGO ରହିଥିବା ବେଳେ ଗୋଟିଏ NDRF ଟିମ ଏବଂ ୬ଟି ODRAF ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପାଇଁ ମହଜୁଦ ଅଛନ୍ତି। ସମୁଦାୟ ୨୬ଟି ବ୍ଲକରେ ଅଗ୍ନିଶମ ବିଭାଗ କାର୍ଯ୍ୟରତ ଥିବା ବେଳେ ସମସ୍ତ CHC ଓ PHC ରେ ଡାକ୍ତରଙ୍କ ସମେତ ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଟି ଭେନମ, ଡାଇରିଆ, ଥଣ୍ଡା, ଜର ମେଡ଼ିସିନ ମହଜୁଦ ରହିଛି। ବିଶେଷତଃ କରି ଗର୍ଭବତୀ ମା ମାନଙ୍କୁ ଚିକିତ୍ସାଳୟରେ ଉପଚାର ଏବଂ ନୂତନ ପ୍ରସୂତି ମାନଙ୍କୁ ଆଶ୍ରୟ ସ୍ଥଳୀରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟଗତ ସୁରକ୍ଷା ମଧ୍ୟରେ ରଖାଯିବ। ସମସ୍ତ 5T ସ୍କୁଲ ଗୁଡିକୁ ଜରୁରୀକାଳୀନ ଆଶ୍ରୟ ସ୍ଥଳୀ ଭାବେ କାର୍ଯ୍ୟ କରାଇବାକୁ ଓ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ବିଧ୍ୟାଳୟରେ କାର୍ଯ୍ୟକରିବାକୁ ମଧ୍ୟ ଏହି ବୈଠକରେ କୁହ ଯାଇଥିଲା।।
ସମସ୍ତ ତଥ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ, ମାନ୍ୟବର ମନ୍ତ୍ରୀ ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମୟ ସମୟେ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ବିଷୟରେ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଅବଗତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଇଛି। ବିଶେଷ କରି ତୁରନ୍ତ ରିଲିଫ୍ ଯୋଗାଣ, ବିଶୁଦ୍ଧ ଜଳ ଓ ଖାଦ୍ୟ ଯୋଗାଣ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ ଏବଂ ଚିକିତ୍ସା ସହାୟତାକୁ ସୁଗମ କରିବାପାଇଁ ପ୍ରଶାସନକୁ ଉପଦେଶ ଦେଇଥିଲେ। ଏଥିସହିତ ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମ୍ୟୁନିସିପାଲିଟି ଅଂଚଳରେ ଜଳ ଘେର ରହୁଥିବା ସ୍ଥାନ ମାନଙ୍କରେ, ଡ୍ରେନ ଦ୍ୱାରା ଜଳ ନିଷ୍କାସନ ଏବଂ ଜନସାଧାରଣଙ୍କର ଆବଶ୍ୟକୀୟ ସେବା ଯୋଗାଇଦେବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ବ୍ଲକ ଓ ତହସିଲଦାର ମାନେ ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଇଥିବା ସମସ୍ତ ପ୍ରକ୍ରିୟାକୁ ମାନ୍ୟବର ମନ୍ତ୍ରୀଙ୍କୁ ଉପସ୍ଥାପନା କରିଥିଲେ ଓ ଆଗାମୀ ସମୟରେ ଏହାକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ, ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ, ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।