Onn 3

ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

State

pratap

ମାହାଙ୍ଗା: ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା। ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଲେ ମାହାଙ୍ଗା ବିଧାୟକ। ସିଆରପିସିର ୨୦୫ ଧାରାରେ ଆବେଦନ କରି ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବା ଲାଗି ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାକୁ କିନ୍ତୁ ପ୍ରତିପକ୍ଷ ଓକିଲ ବିରୋଧ କରିଥିବା ଜଣାଯାଇଛି। ପ୍ରତାପଙ୍କ ଆବେଦନକୁ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଓକିଲ ଆବେଦନ କରିଛନ୍ତି। ଉଭୟ ପକ୍ଷର ଶୁଣାଣି ଅପରାହ୍ଣ ୨ଟାରେ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ଅକ୍ଟୋବର ୩୧ତାରିଖରେ ହାଜର୍ ହେବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ସମନ୍ ପ୍ରଦାନ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ସିଡିଆର୍ ମଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଚୂଡ଼ାନ୍ତ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ। ରମାକାନ୍ତ ବରାଳ ନୋଟିସ୍ ପାଇଥିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨, ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ରମାକାନ୍ତଙ୍କ ଭାଇ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ।ଏହାପରେ ଅଦାଲତ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ଶ୍ରୀ ଜେନାଙ୍କ ହାଜିରା ପାଇଁ ଅକ୍ଟୋବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨(ହତ୍ୟା), ୧୨୦-ବି(ଅପରାଧିକ ଷଡୟନ୍ତ୍ର), ୫୦୬( ହତ୍ୟା ଧମକ)ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ ସୂଚାଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ।