Onn 3

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

State

xxxx

କଟକ: ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପି ଦେବାକୁ ଐତିହାସିକ କଟକ ସହରରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶପଥ ପାଠ କରାଇବା ସହ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜନ୍ମ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଏନଏସଡିସି ଓ ସ୍କିଲ୍ ଇଣ୍ଡିଆ ପକ୍ଷରୁ ଏହି ଗଣଦୌଡ଼ର ଆୟୋଜନ କରାଯାଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶହୀଦ ସ୍ମୃତି ପାର୍କ ଯାଏଁ ରନ୍ ଫର୍ ୟୁନିଟି ବା ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଶତାଧିକ ନାଗରିକ, ଯୁବଶକ୍ତି, ସାମାଜିକ ସଂଗଠନ ଓ ସାମରିକ ବଳ ଓ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ ହେଉଛି କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ। ଏଠାରେ ସ୍ୱରାଜ ଆଶ୍ରମ ମାଧ୍ୟମରେ ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ଜଳିଥିଲା। କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ। ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ସ୍ୱପ୍ନ ଓ ସଂସ୍କାରରେ ଗଢ଼ି ଉଠିଥିବା ହଜାର ବର୍ଷର ପୁରୁଣା ସଭ୍ୟତା କଟକରେ ଗଣଦୌଡ଼ରେ ସାମିଲ ହେବା ମୋର ସୌଭାଗ୍ୟ। ଆଜି ଗଣଦୌଡ଼ରେ ଦେଖାଯାଇଥିବା ଉତ୍ସାହ ଓଡ଼ିଶାର ନୂଆ ମିଜାଜ୍।
ସମଗ୍ର ଭାରତବର୍ଷ ପାଇଁ ଆଜି ଏକ ପବିତ୍ର ଓ ଐତିହାସିକ ଦିନ। ଓଡ଼ିଶାର ନୀଳଗିରି ସମେତ ସମଗ୍ର ଭାରତବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସର୍ଦ୍ଦାର ପଟେଲ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌ ୟୁନିଟି’ ପାଳିତ ହେବା ସହ ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ ହୋଇଛି ପଟେଲଙ୍କ ଦୂରଦୃଷ୍ଟି ଓ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଯୋଗୁଁ ଭାରତର ଏକତାକୁ ରକ୍ଷା କରାଯାଇପାରିଲା । ଦେଶରେ ଗଡ଼ଜାତ ରାଜ୍ୟ ମିଶ୍ରଣରେ ତାଙ୍କର ଭୂମିକା ଅତୁଳନୀୟ। ଷ୍ଟାଚ୍ୟୁ ଅଫ୍ ୟୁନିଟି ପଟେଲଙ୍କ ତ୍ୟାଗକୁ ମନେପକାଇବାର ବିରାଟ ଅବସର ଦେଉଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ମହାପୁରୁଷଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାରୁ ଦେଶ ଆଜି କୃତଜ୍ଞ। ପଟେଲଙ୍କ ବିଚାରକୁ ଆଗକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ଅଖଣ୍ଡତା ଓ ସାର୍ବଭୌମତା ବଜାୟ ରଖିଛନ୍ତି। ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ଦେଶ ଐତିହାସିକ ଉପଲବ୍ଧିଗୁଡ଼ିକର ଏବଂ ନିଷ୍ପତ୍ତିଗୁଡ଼ିକର ସାକ୍ଷୀ ହୋଇଛି। ସର୍ବବ୍ୟାପୀ ଭାରତର ପ୍ରଶଂସା ହେଉଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ରାଜପଥକୁ କର୍ତ୍ତବ୍ୟପଥରେ ନାମିତ କରାଯାଇଛି। ଦେଶର କୋଣ ଅନୁକୋଣରୁ ମହାପୁରୁଷ ଓ ସଂଗ୍ରାମୀଙ୍କ ଜନ୍ମମାଟିରୁ ଆସିଥିବା ମାଟି କର୍ତ୍ତବ୍ୟ ପଥରେ ଅମୃତ ବାଟିକାରେ ସ୍ଥାପନ ହେବା ପାଇଁ ଯାଉଛି। ଅମୃତ ବାଟିକା ନୂଆ ଭାରତର ଏକବିଂଶ ଶତାବ୍ଦୀର ତୀର୍ଥକ୍ଷେତ୍ର ହେବ।
ଆଜିର ଦିନରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଭୋକାଲ ଫର୍ ଲୋକାଲ ହେବା, ସ୍ୱଦେଶୀ ଆନ୍ଦୋଳନକୁ ଆପଣାଇବା, ମେଡ୍ ଇନ୍ ଇଣ୍ଡିଆକୁ ମହତ୍ତ୍ୱ ଦେବା, ସ୍ଥାନୀୟ ଉତ୍ପାଦକୁ କିଣିବା ଆଜିର ଦିନରେ ସଂକଳ୍ପ ହେଉ। ଆଜିର ଦିନ ଭାରତବର୍ଷର ସ୍ୱର୍ଣ୍ଣିମ ଇତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଶ୍ରୀ ପ୍ରଧାନ ସମବେତ ଯୁବଶକ୍ତି ଓ ନାଗରିକଙ୍କୁ ସତ୍ୟ ଓ ନିଷ୍ଠାର ସହ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠଗୁଡ଼ିକ ହେଲା – ‘ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଏହି ବାର୍ତ୍ତାକୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଅଦମ୍ୟ ପ୍ରୟାସ କରିବି’। ‘ମୁଁ ଏହି ଶପଥ ମୋ ଦେଶର ଏକତାର ଭାବନାରେ ନେଉଛି, ଯାହାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶୀତା ତଥା କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇ ପାରିଥିଲା। ‘ମୁଁ ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମୋ ଯୋଗଦାନ ଦେବାକୁ ମଧ୍ୟ ସତ୍ୟ ନିଷ୍ଠାର ସହ ସଂକଳ୍ପ କରୁଛି’।

ଶେଷରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମକୁ ଲୋକଉତ୍ସବରେ ପରିଣତ କରି ସଫଳ କରିଥିବାରୁ କଟକର ସବୁ ସଂଗଠନ ଓ ନାଗରିକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।