Onn 3

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

State

zzz

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ କେତେକ ବିଚାରପତି ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛିି।
ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ଯାଇ ନୂଆ ରାଜ୍ୟପାଳ ରଘୁବର ଦାସ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସିଥିଲେ। ଏହି ସମୟରେ ନୂଆ ରାଜ୍ୟପାଳଙ୍କୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ନେତା ଦିଲୀପ ମଲ୍ଲିକଙ୍କ ସମେତ କେତେକ ନେତା ମନ୍ଦିର ନିକଟରେ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ ସେ ଦେଶ ଏବଂ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି ଲାଗି ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କଲି।
ଉଲ୍ଲେଖଯୋଗ୍ୟ, ରାଜଭବନରେ ସୋମବାର ଦିନ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିସନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।
ସୋମବାର ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ତାଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ରଘୁବର ଦାସ ପ୍ରାୟ ଏକ ଘଣ୍ଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଗତ ଥରର ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।