Hi Tech Medical Blast Incident Body Tied To Ems.jpg

ହାଇଟେକ୍‌‌ ମେଡିକାଲ ବିସ୍ଫୋରଣ ଘଟଣା, ଏମ୍‌ସରେ ବନ୍ଧାପଡ଼ିଛି ଶବ

State

 

Hi-tech-medical-blast-incident-body-tied-to-EMS

ଭୁବନେଶ୍ୱର: ହାଇଟେକ୍‌ ବିସ୍ଫୋରଣ ଘଟଣା‌ରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ସଂକଟ ପୁଲିସ ସମେତ ଦୁଇ ଦୁଇଟି ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସେ ଜଟଣୀର ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଂଜନ ମଲ୍ଲିକ‌; ତାହା ଏଯାବତ୍‌ ଜଣା ପଡ଼ି ନଥିବାରୁ ଶବ ଏକପ୍ରକାର ବନ୍ଧା ପଡ଼ିଛି। ମୃତ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଶବର ମୁହଁ ଚିହ୍ନି ହେଉନଥିବା ବେଳେ ହାଇଟେକ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବନ୍ଦ୍ବାତ୍ମକ ବୟାନ ଏହି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ପୁଲିସ ଶବର ପରିଚୟ ଜାଣିବା ପାଇଁ ଡିଏନ୍‌‌ଏ ପରୀକ୍ଷା କରାଇଛି। ଦିଲ୍ଲୀପଙ୍କ ମା’ ଏବଂ ଜ୍ୟୋତିଙ୍କ ବାପା-ମା’ଙ୍କ ଡିଏନ୍‌‌ଏ ନମୁନା ସଂଗ୍ରହ କରାଯାଇଛି। ଶବର ଡିଏନ୍‌ଏ ସହ ଯାହାର ଡିଏନ୍‌ଏ ମେଳ ଖାଇବ, ତାଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଅପରପକ୍ଷେ ଏ ହାଇଡ୍ରାମା ଯୋଗୁଁ ଦିଲ୍ଲୀପଙ୍କ ପରିବାରଲୋକ ଦୁଇ ଦିନ ହେଲାଣି ଧନ୍ଦି ହେଉଛନ୍ତି। ମୃତଦେହ ନେବାକୁ ଏମ୍ସ ହସ୍ପିଟାଲ ଆଗରେ ସେମାନେ ବସି ରହିଛନ୍ତି। ଏ ସଂପର୍କରେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଯେ ଯେତେଶୀଘ୍ର ଡିଏନ୍‌‌ଏ ପରୀକ୍ଷା ହୋଇପାରିବ, ସେ ଦିଗରେ ପୁଲିସ ଉଦ୍ୟମ ଜାରି ରଖିଛି। ଅପରପକ୍ଷେ ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ କାମ କରାଉଥିବା ଠିକାସଂସ୍ଥାକୁ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

ପୁଅ ମୃତ୍ୟୁ ପରଠାରୁ ପାଣି ଟୋପାଏ ପିଇନାହାନ୍ତି ଦିଲୀପଙ୍କ ମାଆ। ମୃତଦେହ ନେବାକୁ ସେ ଏମ୍ସ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଜଗି ବସିଛନ୍ତି। କେତେବେଳେ ବାହୁନି କାନ୍ଦୁଛନ୍ତି ତ କେତେବେଳେ ଚେତା ହରାଇ ଗଡ଼ି ପଡ଼ୁଛନ୍ତି। ମୋ ପୁଅକୁ ମୋତେ ଫେରାଇଦିଅ ବୋଲି ବିଳାପ କରୁଛନ୍ତି। ସେହିପରି ମୃତଦେହ ଅପେକ୍ଷାରେ ଦିଲୀପଙ୍କ ଜ୍ଞାତିକୁଟୁମ୍ବ କାଲିଠୁ ଉପାସରେ ଅଛନ୍ତି। ଅନ୍ୟପଟେ କଟକ କଣ୍ଟାପଡ଼ା ବ୍ଲକ କୁଳବ୍ରାହ୍ମଣ ସାଇଲୋ ଗାଁରେ ଦଶାହ କର୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର। ଶୋକ ପାଳୁଛନ୍ତି, ବେଳିକିଆ ଖାଉଛନ୍ତି। ଜ୍ୟୋତିଙ୍କ ଶବ ଏବେ ଦିଲୀପଙ୍କ ଗାଁ ଶ୍ମଶାନରେ ପାଉଁଶ ହୋଇସାରିଥିବାରୁ ସେମାନେ ଦଶାହ ଦିନ ପଳାଶ କାଠକୁ କୋକେଇରେ ନେଇ ଶ୍ମଶାନରେ ପୋଡ଼ିବେ ବୋଲି ସ୍ଥିର କରିଛନ୍ତି। ସେପଟେ ହାଇଟେକ୍‌‌ ସିଇଓ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ବିସ୍ଫୋରଣ କିଭଳି ହେଲା, ଦାୟୀ କିଏ ଏବଂ ମୃତକଙ୍କ ଚିକିତ୍ସା ଠିକ୍‌‌ ଭାବେ ହୋଇଛି କି ନାହିଁ, ଏସବୁର ତଦନ୍ତ ହେବ।

ସୂଚନା‌ଯୋଗ୍ୟ, ମେଡିକାଲର ତୃତୀୟ ମହଲାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ୨୯ତାରିଖ ସନ୍ଧ୍ୟାରେ ବିସ୍ଫୋରଣ ଘଟିଥିଲା। ଏଥିରେ ଠିକାସଂସ୍ଥାର କର୍ମଚାରୀ ଦିଲୀପ ସାମନ୍ତରାୟ, ଶ୍ରୀତମ ସାହୁ, ଜ୍ୟୋତି ରଞ୍ଜନ ମଲ୍ଲିକ ଓ ସୀମାଞ୍ଚଳ ବିଶ୍ୱାଳ ଗୁରୁତର ଆହତ ହୋଇଥିଲେ। ୩୧ତାରିଖ ଦିନ ଜଣଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ମୃତକଙ୍କୁ ଦିଲୀପ ସାମନ୍ତରାୟ ବୋଲି ଘୋଷଣା କରିଥିଲେ। ପରିବାରଲୋକ ଶବ ନେଇ ଗାଁ ମଶାଣିରେ ଶେଷକୃତ୍ୟ କରାଇଥିଲେ। ତେବେ ସବୁଠୁ ଦୁଃଖର କଥା ‌ହେଲା, ଦିଲୀପଙ୍କ ଅକାଳ ମୃତ୍ୟୁ ତାଙ୍କ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ପକ୍ଷେ ଗ୍ରହଣ କରିବା ସହଜ ହେଲାନି। ସେ ଆତ୍ମହତ୍ୟା କରିଦେଲେ। ପରେ ୩ ତାରିଖ ଦିନ ଆଉ ଜଣେ ଆହତ ଶ୍ରୀତମଙ୍କ ଜୀବନ ଯାଇଥିଲା। ତେବେ ଗତ ୫ତାରିଖ ଦିନ ତୃତୀୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇଥିଲା। ତାଙ୍କୁ ଭେଣ୍ଟିଲେଟର୍‌ରୁ ବାହାରକୁ ଅଣାଯିବା ପରେ ସେ ନିଜକୁ ଦିଲୀପ ସାମନ୍ତରାୟ ବୋଲି ପରିଚୟ ଦେବାରୁ ପୂରା ଘଟଣା ବିବାଦୀୟ ହୋଇପଡ଼ିଥିଲା। ପରିବାର ଓ ସମ୍ପର୍କୀୟମାନେ ପହଞ୍ଚି ମେଡ଼ିକାଲ ପରିସରରେ ପାଟିତୁଣ୍ଡ କରିଥିଲେ। ଅନୁରୂପ ଭାବେ ଆହତ ଜ୍ୟୋତିରଞ୍ଜନଙ୍କ ପରିବାର ମଧ୍ୟ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଥିଲେ। ୬ ତାରିଖ ବିଳମ୍ୱିତ ରାତିରେ ନିଜକୁ ପରିଚୟ ଦେଇଥିବା ଦିଲୀପଙ୍କର ମୃତ୍ୟୁ ଘଟିବା ଉଭୟ ପରିବାରଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା। ଏଥିଲାଗି ପୁଲିସ ଓ ମେଡିକାଲକୁ ଦିଲୀପଙ୍କ ପରିବାର ଦାୟୀ କରିଥିଲେ। ଏନେଇ ମଧ୍ୟ ଅତିରିକ୍ତ ଡିସିପିଙ୍କୁ ଭେଟି ଦିଲ୍ଲୀପଙ୍କ ମା’ ମଞ୍ଚେଶ୍ୱର ଥାନା ଅଧିକାରୀ ଏବଂ ହାଇଟେକ୍‌‌ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ।