ବାରିପଦା: ମାର୍ଚ୍ଚ ୨୭ ତାରିଖ ବିଶ୍ଵନାଟ୍ୟଦିବସ ଅବସରରେ ସ୍ଥାନୀୟ ଭଞ୍ଜପୁର, ହରିହର କଳାମନ୍ଦିରଠାରେ ବାରିପଦାର ସୁନାମଧନ୍ୟ ନାଟ୍ୟସଂସ୍ଥା ରୂପାନ୍ତର ଦ୍ଵାରା ବିଶ୍ଵନାଟ୍ୟଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ରୂପାନ୍ତରର ସଭ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ, ଦୀପକ ପାଣି, ଅଭିମନ୍ୟୁ ମହାନ୍ତି, କାହ୍ନୁ ଚରଣ ବଶା, ସପନ ପଣ୍ଡା, ବିଶ୍ଵମ୍ଭର ସିଂହ, ଦିନେଶ ସାହୁ, ଅପୂର୍ବା ସାହୁ, ମଦନ ଜେନା, ମୁନା ଗୁପ୍ତା, ରବୀନ୍ଦ୍ର ବେହରା, ନାରାୟଣ ମଣ୍ଡଳ ଏବଂ ଶୁଭେନ୍ଦୁ ସାହୁ ପ୍ରଭୃତି ଯୋଗ ଦେବା ସହିତେ ସାଂପ୍ରତିକ ସମାଜରେ ମଞ୍ଚ ନାଟକର ସ୍ଥିତି ତଥା ଆଗାମୀ ଦିନରେ ମଞ୍ଚ ନାଟକ କିପରି ଦର୍ଶକମାନଙ୍କ ଦ୍ଵାରା ଅଧିକ ଆଦୃତ ହୋଇପାରିବ ସେ ସଂପର୍କରେ ଆଲୋଚନା କରଯାଇଥିଲା । ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ବାରିପଦା ଶହୀଦ୍ ଭବନଠାରେ ଅନୁଷ୍ଠାନ ଦ୍ଵାରା ବସନ୍ତ ଉତ୍ସବର ଆୟୋଜନ କରାଯାଇ ଅପଦାର୍ଥ ନାମକ ଏକ ନାଟକ ପରିବେଷଣ କରାଯିବ । ଉକ୍ତ ନାଟକକୁ ରଚନା କରିଛନ୍ତି ପ୍ରଖ୍ୟାତ ନାଟ୍ୟକାର ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମହାପାତ୍ର ଏବଂ ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି ଶ୍ରୀଯୁକ୍ତ ପରେଶ ସାହୁ । ଏହି ନାଟ୍ୟଦିବସ ପାଳନ ଅବସରରେ ପ୍ରତିଷ୍ଠିତ ଗୀତିକାର ସ୍ଵର୍ଗତ ସଂଗ୍ରାମ କେଶରୀ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହିତେ ତାଙ୍କର ବିଭିନ୍ନ ସାହିତ୍ୟିକ ତଥା ସାଂସ୍କୃତିକ କୃତି ସଂପର୍କରେ ସ୍ମୃତି ଚାରଣ କରଯାଇଥିଲା ଏବଂ ସଂଗ୍ରାମ କେଶରୀ ସ୍ମୃତି ସମ୍ମାନ ନାମରେ ଏକ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ଏହି ପୁରସ୍କାର ଆଗାମୀ ଦିନରେ ପ୍ରତ୍ୟେକ ବର୍ଷ ରୂପାନ୍ତର ଦ୍ଵାରା ଆୟୋଜିତ ବସନ୍ତ ଉତ୍ସବରେ ଓଡିଶାର ମଞ୍ଚ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମିତ୍ତ ଜଣେ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯିବ । ଚଳିତ ବର୍ଷ ୨୦୨୫ ମସିହା ପାଇଁ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଉପାଧ୍ୟକ୍ଷା ଡକ୍ଟର ଦମୟନ୍ତୀ ବେଶ୍ରା ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରେନ୍ଦ୍ରନାଥ ସାହୁ ଜଣାଇଛନ୍ତି ।
