Cm

ମୟୂରଭଞ୍ଜ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

State
  • ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ବାରିପଦାସ୍ଥ ଛଉ ପଡିଆରେ ଉଦ୍ଘାଟନ କରିବେ ବିକାଶ ମେଳା
  • ଜିଲ୍ଲା ସ୍ତରୀୟ ବିକାଶ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ବୈଠକ ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାର ଆୟୋଜନ ହେବାକୁ ଯାଉଅଛି ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଯିଏକି ଉକ୍ତ ମେଳାକୁ ୨୨ ତାରିଖ ଅପରାହ୍ନରେ ସହର ଉପକଣ୍ଠ ସ୍ଥିତ ଛଉ ପଡିଆରେ ଉଦଘାଟନ କରିବା ସହିତ ଏହି ମହା ସମାରୋହରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ଏଥିପାଇଁ, ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ସାଧାରଣ ନିର୍ବାଚନ ପରେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଥର ପାଇଁ ମୟୂରଭଞ୍ଜ ଗସ୍ତ କରିବେ। ଏଣୁ ଏହି ବିକାଶ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ବିକାଶ ମେଳାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁଚିନ୍ତିତ ଯୋଜନା ଏବଂ ନିରବଚ୍ଛିନ୍ନ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଏବଂ ଜନସାଧାରଣଙ୍କ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ସେହି ଭଳି ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ନିୟମାବଳୀ, ଜରୁରୀକାଳୀନ ଚିକିତ୍ସା ଏବଂ ସେବା ଉପରେ ବିଶେଷ ଆଲୋଚନା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆୟୋଜନ ହେବାକୁ ଯାଉଥିବା ବିକାଶ ମେଳା ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ଏହି ତିନି ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ଯ୍ୟର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଵ।

ସମସ୍ତ ବିଭାଗର ସାମୁହିକ ଉଦ୍ୟମ ଫଳରେ ବିକାଶ ମେଳା ସଫଳ ହେବା ସହ ମୟୂରଭଞ୍ଜର ଜନସାଧାରଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ ଦୃଢୋକ୍ତି ପ୍ରକାଶ କରିଥିଲେ।

ଉକ୍ତ ବୈଠକରେ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା ଓ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ।