Photo For The News Of School1

୩ ଶିକ୍ଷାନୁଷ୍ଠାନକୁ ଅବହେଳା, ଅସରାଏ ବର୍ଷାରେ ଶ୍ରେଣୀଗୃହ ଭାସିଲା

State

ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ

ଆଗରପଡ଼ା :ଗୋଟିଏ ପରିସରରେ ୩ଟି ଶିକ୍ଷାନୁଷ୍ଠାନ କିନ୍ତୁ ସମସ୍ତେ ଅବହେଳିତ । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଏହିପରି ଦୃଷ୍ଠାନ୍ତ ଦେଖିବାକୁ ମିଳିଛି । ଏହି ପଂଚାୟତରେ ୧୯୭୫ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ପରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଏକ ଅଙ୍ଗନବାଡ଼ି କେନ୍ଦ୍ର ଏହି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଛି । କିନ୍ତୁ ବିଭିନ୍ନ ପରିବେଶକୁ ଆକଳନକୁ ନେଲେ ଉକ୍ତ ତିନୋଟି ଅନୁଷ୍ଠାନ ବର୍ତ୍ତମାନ ଅବହେଳିତ ଅବସ୍ଥାରେ । ଅବହେଳିତ ଅବସ୍ଥାରେ ଥିଲେ ସୁଦ୍ଧା ଏହାର ସୁଧାରରେ ପ୍ରଶାସନ,ଜନ ପ୍ରତିନିଧି କିମ୍ବା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖର ବିଷୟ । ଚଳିତ ଶିକ୍ଷା ବର୍ଷରେ ଉକ୍ତ ଭଗାରାମ ପ୍ରାଥମିକ ବିଦ୍ୟାଳୟରେ ପାଖାପାଖି ୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୫ଟି ଶ୍ରେଣୀ ପାଇଁ ୪ଟି କୋଠରୀ ରହିଛି ଏବଂ ୩ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯଦି ଅସରାଏ ବର୍ଷା ହୁଏ ତେବେ ୩ଗୋଟି କୋଠରୀରେ ପାଣି ପଶି ଯାଇଥାଏ । ପାଣି ନିଷ୍କାସନର କୌଣସି ବନ୍ଦୋବସ୍ତ ନଥିବାରୁ ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ପାଠପଢା ଚାଲିଥାଏ । ୧୯୯୪ ମସିହାରେ ଉକ୍ତ ବିଦ୍ୟାଳୟ ପରିସରରେ ବିପିନବିହାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ପ୍ରତିଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନ ଏହାର ୨ଟି ଶ୍ରେଣୀରେ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ବର୍ଷା ହେଲେ ଗୋଟିଏ ଶ୍ରେଣୀରେ ଉକ୍ତ ପିଲାମାନେ ଅଧ୍ୟୟନ କରିବାକୁ ବାଧ୍ୟ ହୋଇଥାନ୍ତି ।

Photo For The News Of School3

ସେହିପରି ୨ଟି ଯାକ ଅନୁଷ୍ଠାନର ରୋଷେଇ କାର୍ଯ୍ୟ ଗୋଟିଏ ଜାଗାରେ ସଂପାଦିତ ହେଉଥିଲେ ମଧ୍ୟ ବର୍ଷା ହେଲେ ଏହା ଭିତରକୁ ପାଣି ପଶି ଯାଉଥିବାରୁ ରୋଷେଇ କାର୍ଯ୍ୟରେ ମଧ୍ୟ ଘୋର ଅସୁବିଧା ସୃଷ୍ଟି ହୋଇଥାଏ । ସେହିପରି ଉକ୍ତ ପରିସରରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି । କେନ୍ଦ୍ରଟିରେ ପାଖାପାଖି ୨୦ଜଣ କୋମଳମତୀ ଶିଶୁ ଅଧ୍ୟୟନ କରୁଥିବା ବେଳେ ପରିବେଶ ମଧ୍ୟ ଶିକ୍ଷାଲାଭ ପାଇଁ ଅନୁପଯୋଗୀ ହୋଇପଡ଼ିଥାଏ ଅସରାଏ ବର୍ଷାରେ । ବର୍ଷା ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ ନଥିବାରୁ ଏହା ପରିସରରେ ଜମି ରହି ଡ଼େଙ୍ଗୁ ପରି ମହାମାରୀକୁ ଆମନ୍ତ୍ରଣ କରୁଥିବା ଜଣାପଡ଼ିଛି । ବର୍ଷା ହେଲେ ଉକ୍ତ ପରିସରରେ ଏହିପରି ସମସ୍ୟା ସୃଷ୍ଟି ହେଉଥିବାରୁ ଏହି ଦିନରେ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢିଯାଇଛି । ଗତ ୨ ଦିନ ଧରି ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷାରେ ବର୍ଷାଜଳ ଉକ୍ତ ପରିସରରେ ଜମି ରହିବା ସହ ଶ୍ରେଣୀ ଗୃହ ଓ କାର୍ଯ୍ୟାଳୟ ପରିସରରେ ପଶିଯିବା ଦ୍ୱାରା ପାଢପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେଣୁ ଉକ୍ତ ସମସ୍ୟା ସହିତ ପିଲାଙ୍କ ରେକର୍ଡ଼ ଓ ଆସବାବ ପତ୍ର ବର୍ଷା ଜଳରେ ନଷ୍ଟ ହେବାକୁ ବସିବା ଆଶଙ୍କା କରି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ନାଇକ ପରିସରରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ନିମନ୍ତେ ବ୍ଲକ ଉନ୍ନୟନ ଅଧିକାରୀ,ବନ୍ତଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ତେଣୁ ବିଭାଗୀୟ ଅଧିକାରୀ ଏହି ତିନିଗୋଟି ଅନୁଷ୍ଠାନରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ବିହିତ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି ।