Photo For The News Of Salandi

ସାଳନ୍ଦୀ ଫୁଲୁଛିି, ଗତିପଥ ବଦଳିବା ନେଇ ଗ୍ରାମବାସୀ ଚିନ୍ତାରେ

State

ଆଗରପଡ଼ା :ଗତ କିଛି ଦିନ ହେଲା ଲଗାଣ ବର୍ଷା ହେବାରୁ ନଦୀପାଣି କ୍ରମଶଃ ଫୁଲି ଗ୍ରାମାଭିମୁଖି ହେଉଥିବାରୁ ନଦୀ କୂଳିଆ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ଆବାହନ କାଳରୁ ସାଳନ୍ଦି ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଜିଲ୍ଲାକୁ ପ୍ରବାହିତ ହୋଇଛି । ଏହି ନଦୀର ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବା ପାଇଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ସେହି ସମୟରେ ପାଶ୍ୱର୍ବର୍ତ୍ତି କେନ୍ଦୁଝର ଜିଲ୍ଲା ହଦଗଡ ଠାରେ ଏକ ଡ୍ୟାମ ପ୍ରତିଷ୍ଠା କରିଥିଲେ । ଏଥିରେ ଜଳନିୟନ୍ତ୍ରିତ ହେବା ସହ ଏହି ଜଳକୁ ବିଭିନ୍ନ କେନାଲ ମାଧ୍ୟମରେ ଛଡାଯିବା ଫଳରେ ୩ଗୋଟି ଜିଲ୍ଲା କୃଷି ଅର୍ଥନୀତି ଉପରେ ବେଶ ପ୍ରଭାବ ପକାଉଥିବା ବେଳେ ଏବେ ଏହି ନଦୀ କୂଳରେ ଶତାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ନଦୀ ପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି । ଫଳରେ ନଦୀର କୂଳ ଖାଇ ଏହାର ଗତି ପଥରେ ପରିବର୍ତ୍ତନ ଆଣିଛି । ଯଦ୍ୱାରା ନଦୀ କୂଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ପ୍ରତିବର୍ଷ ବର୍ଷାଦିନରେ ସାଳନ୍ଦି ନଦୀରେ ଏହିପରି ମନୁଷ୍ୟ କୃତ ବନ୍ୟା ଆସି ନଦୀ ଜଳ ଲୋକଙ୍କର କ୍ଷୟକ୍ଷତି ଘଟୁଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦି ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦି ସଂଯୋଗୀକରଣ କରି ସାଳନ୍ଦି ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ ଓ ଏହାର କୂଳରେ ଶତାଧିକ ବେଆଇନ ଇଟାଭାଟି ଚାଲିଥିବାରୁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏ ଅଞ୍ଚଳରେ ନଦୀ କୁଳରେ ଅବସ୍ଥିତ ପାଟକନା, ମହାନ୍ତିପଡା, ରାଉତରାପୁର, ହଳଦୀପହଣି, କାଣ୍ଡବା, ଗୋପିନାଥପୁର, କୁଆଁଶମଢିଆ, ହରିପୁର, ଘଣ୍ଟଗଢିଆ, ନରାଜପୁର, ବଡମହିଷଗୋଠ,ଟିକିରା, ଚାରିଗାଁ, ଚକ୍ରାପାଢୀ, ଶ୍ରୀରାମପୁର,ଯଶବନ୍ତପୁର, ରାଜନଗର ମଙ୍ଗଳପୁର,ଅଣିଜୋ, ବିରିଡିହି ଆଦି ଗ୍ରାମବାସୀ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।