Img 20240829 Wa0313

ମୟୂରଭଞ୍ଜ ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

State

ବାରିପଦା:  ରାଜ୍ୟ ସରକାରଙ୍କ ଅନ୍ୟତମ ମହିଳା ସଶକ୍ତିକରଣ ତଥା ଉଲ୍ଲେଖନୀୟ “ସୁଭଦ୍ରା” ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ଅପରାହ୍ନ ଘ ୫ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ସମ୍ମିଳନୀ କକ୍ଷଠାରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସୀଲଦାରମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଯୋଜନା ସଂପର୍କରେ ପ୍ରଥମେ ଭଲଭାବେ ବୁଝି କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ହିତାଧିକାରୀମାନେ ଯେପରି ସଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ସୂଚନା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଯେପରି ଏହି ଯୋଜନା ଅଧିନରେ ଆସୁଥିବା କୌଣସି ହିତାଧିକାରୀ ସୁବିଧାରୁ ବାଦ ନପଡିବେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରତି ବର୍ଷରେ ୧୦ ହଜାର କରି ୫ ବର୍ଷରେ ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ହିତାଧିକାରୀମାନଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ ହେଉଥିବ । ଆଧାର କାର୍ଡରେ ଉଲ୍ଲିଖିତ ବୟସ ଓ ଜନ୍ମତାରିଖ ବିଚାରକୁ ନିଆଯିବ । ଯୋଜନା ସଂପର୍କରେ ଏବଂ କେଉଁମାନେ ଏହି ଯୋଜନା ଅଧିନରେ ସହାୟତା ପାଇବାକୁ ଯୋଗ୍ୟ ଓ କେଉଁମାନେ ବାଦ ପଡୁଛନ୍ତି ସେ ସଂପର୍କରେ ବିଶଦ୍ ମାର୍ଗଦର୍ଶିକା ବିଷୟରେ ଜିଲ୍ଲାପାଳ ଆଲୋଚନା କରିଥିଲେ ।

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ । କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ ଏବଂ ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।ହିତାଧିକାରୀମାନେ ସମସ୍ତେ ଯେପରି ସୁବିଧାରେ ଆବେଦନ କରିପାରିବେ, ସେଥିପାଇଁ ଯଥେଷ୍ଟ ସଂଖ୍ୟକ ଫର୍ମ ସୁବିଧା କରିବାକୁ ବିଡ଼ିଓ ଓ ତହସୀଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଯୋଜନାକୁ ଲୋକାଭିମୁଖୀ କରାଇ ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ ବିଭିନ୍ନ ପ୍ରମୁଖ ସ୍ଥାନରେ ହୋଡିଂ, ବ୍ୟାନର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ର ତଥା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।

ସୂଚନା ଥାଉକି, ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଯୋଜନା କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳମାନେ ନିଜେ କାର୍ଯ୍ୟ ତଦାରଖ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ବା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ବରିଷ୍ଠ ଅଧିକାରୀ ଭାବେ ମନୋନୀତ କରିବେ । ମହାନଗର ନିଗମ ସ୍ତରରେ କମିଶନରମାନେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦେଇ ଆବଶ୍ୟକ ବ୍ୟବସ୍ଥା କରିବେ । ସ୍ଥାନୀୟ ବିଧାୟକ, ସାଂସଦ ଏବଂ ସରପଞ୍ଚ ଆଦି ଜନ ପ୍ରତିନିଧିଙ୍କ ସହାୟତାରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କିତ ବୈଠକ ହେବ ।

ପ୍ରତି ସିଡିପିଓ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର (ହେଲପ୍ ଡେକ୍ସ) ସ୍ଥାପନ ହେବ l ଫଳରେ ହିତାଧିକାରୀମାନେ ସେମାନଙ୍କର ଆବଶ୍ୟକ ସୂଚନା ସଂପର୍କରେ ପଚାରି ବୁଝି ପାରିବେ । ସୁଭଦ୍ରା ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ତରଫରୁ ଓକାକ୍ ସହାୟତାରେ ଏକ ନିଃଶୁଳ୍କ “କଲ ସେଣ୍ଟର” ସେବା କାର୍ଯ୍ୟ କରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି । ଯେଉଁ ଯେଉଁ ସ୍ଥାନରେ ଯୋଜନା କାର୍ଯ୍ୟକାରିତା ବେଳେ ହିତାଧିକାରୀମାନଙ୍କର ଅସୁବିଧା ଦୃଷ୍ଟିକୁ ଆସିବ, ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।