Photo1 For The News Of Market Complex

ସରକାରଙ୍କ ରାଜସ୍ୱ ହାନି, ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି ମାର୍କେଟ କମ୍ପେ୍ଲକ୍ସ

State

ଆଗରପଡ଼ା :ସରକାର ଗ୍ରାମାଚଂଳର ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକରେ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ କ୍ଷେତ୍ରରେ । ବନ୍ତ ବ୍ଲକର ୨୫ଟି ପଂଚାୟତର ବିଭିନ୍ନ ପଂଚାୟତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପେ୍ଳକ୍ସ ବ୍ୟବହାର ଯୋଗ୍ୟ ହୋଇ ନପାରି ପଡ଼ିରହିଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ଘଟୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଗୋପିନାଥପୁର ପଂଚାୟତ ପକ୍ଷରୁ ଆଗରପଡ଼ା ବଜାରଠାରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ନିର୍ମିତ ହେବାର ବର୍ଷାଧିକ କାଳ ପରେ ମଧ୍ୟ ବ୍ୟବହାର ହୋଇପାରି ନାହିଁ । ସେହିପରି ଓଡ଼ଙ୍ଗ ପଂଚାୟତର ଓଡ଼ଙ୍ଗ ଗ୍ରାମରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୨ଲକ୍ଷ୧୬ହଜାର୯୨ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ବ୍ୟବହାର ଯୋଗ୍ୟ ହୋଇନପାରି ଗୋରୁଗାଈଙ୍କ ବିଶ୍ରାମସ୍ଥଳୀ ପାଲଟିଥିଲା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ନିର୍ମାଣାଧିନ ୪ଗୋଟି ଗୃହମଧ୍ୟରୁ ଗୋଟିଏ ଗୃହରେ ଜନସେବା କେନ୍ଦ୍ର ଖୋଲିଥିବା ବେଳେ ଆଉ ୩ଗୋଟି ଗୃହ ବନ୍ଦ ହୋଇ ପଡ଼ିରହିଛି ।

ଅପରପକ୍ଷରେ ୨୦୧୬-୧୭ ଆର୍ଥିକ ବର୍ଷରେ ବନ୍ତ ବ୍ଲକ ଅନ୍ତର୍ଗତ ଜାମବଣୀ ଛକ ଠାରେ ପଂଚାୟତ ସମିତି ଭଦ୍ରକ ଆନୁକୁଲ୍ୟରେ କାଉପୁର ପଂଚାୟତ ତରଫରୁ ସିଏଫସି ପାଣ୍ଠିରୁ ମଂଜୁର ହୋଇଥିବା ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରି ନଥିଲା । ଏହାକୁ ସଂପୂର୍ଣ୍ଣ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏସଏଫସି ପାଣ୍ଠିରୁ ପୁଣି ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ସୁଦ୍ଧା କଂପ୍ଲେକ୍ସଟି କାର୍ଯ୍ୟକ୍ଷମ ହୋଇପାରୁନଥିଲା । ଉକ୍ତ ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଂପ୍ଲେକ୍ସରେ ଥିବା ୩ଗୋଟି ଗୃହ ମଧ୍ୟରୁ ଗୋଟିଏ ଗୃହ କାର୍ଯ୍ୟକ୍ଷମ ହୋଇଥିବା ବେଳେ । ଅନ୍ୟ ୨ଗୋଟି ଗୃହ ବନ୍ଦ ପଡ଼ିଛି । କାର୍ଯ୍ୟାଦେଶକୁ ୭ବର୍ଷ ପୂରିସାରିଥିଲେ ସୁଦ୍ଧା ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ନିର୍ମାଣ ପରେ ମଧ୍ୟ ଏହା କାର୍ଯ୍ୟରେ ଲାଗି ପାରୁନଥିବାରୁ ସରକାରଙ୍କ ରାଜସ୍ୱ ହାନି ଘଟୁଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ପ୍ରକଳ୍ପକୁ ପୂର୍ଣ୍ର ମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।